ଦେଖନ୍ତୁ VIDEO: ମହାକୁମ୍ଭରେ ଭଣ୍ଡାର ଖାଦ୍ୟରେ ମିଶାଇ ଦେଲେ ପାଉଁଶ, ପୋଲିସ ଅଧିକାରୀ ନିଲମ୍ବିତ

ମହାକୁମ୍ଭ ମେଳାରେ ଜଣେ ପୋଲିସ ଅଧିକାରୀ ଶ୍ରଦ୍ଧାଳୁଙ୍କ ଖାଦ୍ୟରେ ପାଉଁଶ ମିଶାଇ ଦେଇଛନ୍ତି । ଭିଡିଓ ଭାଇରାଲ ହେବା ପରେ ଏବେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ମହାକୁମ୍ଭକୁ କୋଟି କୋଟି ତୀର୍ଥଯାତ୍ରୀ ଆସୁଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ ଜାଗାରେ ସାମୂହିକ ରୋଷେଇ ଚାଲିଛି । ଅନେକ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଭଣ୍ଡାର ଖାଦ୍ୟ ପ୍ରସ୍ତୁତ କରାଯାଉଛି । ତେବେ ଏହି ଭଣ୍ଡାର ଖାଦ୍ୟ ପ୍ରସ୍ତୁତି ଚାଲିଥିବା ବେଳେ ଜଣେ ପୋଲିସ ଅଧିକାରୀ ଆସି ସେଥିରେ ପାଉଁଶ ମିଶାଇ ଦେଇଥିଲେ ।

ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓକୁ ନେଇ ଅନେକ ଅଭିଯୋଗ ଆସିଥିଲା । ଏହାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସେୟାର କରିଛନ୍ତି । ଭିଡିଓ ସେୟାର କରି ଅଖିଳେଶ ଲେଖିଛନ୍ତି, ମହାକୁମ୍ଭରେ ଫସିଥିବା ଲୋକଙ୍କୁ ଭୋଜନ ଓ ପାଣି ଉପଲବ୍ଧ କରାଇବାର ପ୍ରୟାସଗୁଡ଼ିକୁ ରାଜନୈତିକ ଦ୍ୱେଷ କାରଣରୁ ବିଫଳ କରାଯାଉଛି ।

ଗଙ୍ଗାନଗର ଡିସିପି କୁଲଦୀପ ସିଂ ଗୁନାବତ୍ କହିଛନ୍ତି, ସୋସିଆଲ ମିଡିଆରେ ଭିଡିଓ ସାମ୍ନାକୁ ଆସିବା ପରେ ସୋରାଓଁର ଷ୍ଟେସନ ହାଉସ୍ ଅଫିସର (ଏସଏଚଓ) ବ୍ରିଜେଶ କୁମାର ତିୱାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପୋଲିସ ଅଧିକାରୀ ଚୁଲ୍ଲି ଉପରେ ରନ୍ଧା ଚାଲିଥିବା ଖାଦ୍ୟରେ ପାଉଁଶ ମିଶାଇ ଦେଇଥିଲେ । ଜଣେ ୟୁଜର ‘ଏକ୍ସ’ରେ ଡିସିପି ଗଙ୍ଗାନଗର ଆକାଉଣ୍ଟକୁ ଟ୍ୟାଗ୍ କରି ଭିଡିଓ ସେୟାର କରିଥିଲେ । ଏହି ଘଟଣାକୁ ନିନ୍ଦନୀୟ କୁହାଯିବା ସହିତ ପୋଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଏବେ ଏହି ମାମଲାକୁ ନେଇ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗତକାଲି ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ମହାକୁମ୍ଭର ସେକ୍ଟର-୨୨ରେ ଭୟଙ୍କର ନିଆଁ ଲାଗି ଅନେକ ଟେଣ୍ଟ ଜଳିଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବା ବିଷୟରେ ଜଣାପଡ଼ିବା ପରେ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । କିନ୍ତୁ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ବହୁ ଅସୁବିଧା ହୋଇଥିଲା । କାରଣ, ସେଠାକୁ ଯିବା ପାଇଁ ରାସ୍ତା ନ ଥିଲା । ଏହା ପରେ ବି ସେମାନେ ଠିକ୍ ସମୟରେ ପହଞ୍ଚି ନିଆଁକୁ କାବୁ କରିଥିଲେ । ଫଳରେ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ମହାକୁମ୍ଭରେ ପୁଣି ଭୟାବହ ଅଗ୍ନିକାଣ୍ଡ, ସେକ୍ଟର-୨୨ରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ