ଦକ୍ଷିଣ କୋରିଆ ରାଷ୍ଟ୍ରପତି କାର୍ଯ୍ୟାଳୟରେ ପୋଲିସ ଚଢାଉ, କିଛିଦିନ ପୂର୍ବରୁ ଲାଗୁ କରିଥିଲେ ମାର୍ଶାଲ ଲ
ଦକ୍ଷିଣ କୋରିଆ ପୋଲିସ ରାଷ୍ଟ୍ରପତି କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍(Yoon Suk Yeol)ଙ୍କ ବିରୋଧରେ ଚାଲିଥିବା ଅପରାଧିକ ଯାଞ୍ଚ ଅଧିନରେ କରାଯାଇଛି । ସଂକ୍ଷିପ୍ତ ମାର୍ଶାଲ ଲ ଲାଗୁ କରିବା ମାମଲାରେ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ ଅଭିଯୋଗ ରହିଛି । ସୂଚନା ଅନୁଯାୟୀ ୟୁନ୍ ସୁକ୍ ୟୋଲଙ୍କୁ ଗିରଫ କରାଯାଇ ନାହିଁ କି ତାଙ୍କୁ କୌଣସି ପ୍ରକାର ପଚରାଉଚରା କରାଯାଇନାହିଁ ।
ସ୍ୱତନ୍ତ୍ର ଯାଞ୍ଚ ଦଳ ଅପରାଧିକ ତଦନ୍ତ ମାମଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ଜାତୀୟ ପୋଲିସ ଏଜେନ୍ସି, ସିଓଲ ମେଟ୍ରୋପଲିଟିଆନ୍ ପୋଲିସ ଏଜେନ୍ସି ଏବଂ ଜାତୀୟ ବିଧାନସଭା ସୁରକ୍ଷା ସେବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାଞ୍ଚ୍ ଦଳ କହିଛନ୍ତି କି, ଏହି ମାମଲା ଦେଶର ସୁରକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥା ସହ ଜଡ଼ିତ ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ।
ଡିସେମ୍ବର ୩ ତାରିଖ ଦିନ ରାତିରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍ ହଠାତ ମାର୍ଶାଲ ଲ ଘୋଷଣା କରି ସଂସଦରେ ସ୍ୱତନ୍ତ୍ର ବାହିନୀ ଓ ହେଲିକପ୍ଟର ନିୟୋଜିତ କରିଥିଲେ । ତେବେ ବିରୋଧୀ ଏବଂ ତାଙ୍କ ଦଳର ସାଂସଦଙ୍କ ଚାପ ଯୋଗୁଁ ତାଙ୍କୁ ଏହି ଆଦେଶ ପ୍ରତ୍ୟାହାର କରିବାକୁ ପଡ଼ିଥିଲା । ଏହା ପରେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା ଏବଂ ଏହା ଆଧାରରେ ତାଙ୍କ ବିରୋଧରେ ଅପରାଧିକ ତଦନ୍ତ ଆରମ୍ଭ ହୋଇଥିଲା ।
ସୂଚନାଯୋଗ୍ୟ, ମାର୍ଶାଲ ଲ କେବଳ ୬ ଘଣ୍ଟା ପାଇଁ ଚାଲିଲା କିନ୍ତୁ ଏହା ସାରା ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଥିଲା । ଏହା ପରେ ସାଂସଦ ଏବଂ ସାଧାରଣ ଜନତା ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଥିଲେ । ବିପକ୍ଷ ପୂର୍ବ ରକ୍ଷା ମନ୍ତ୍ରୀ କିମ ୟଙ୍ଗ ହ୍ୟୁନ ଏବଂ ଅନ୍ୟ ୮ ଅଧିକାରୀଙ୍କ ବିରୋଧରେ ବିଦ୍ରୋହରେ ସାମିଲ ହେବା ଅଭିଯୋଗ ହୋଇଥିଲା । ଏହାସହିତ ପୂର୍ବ ରକ୍ଷା ମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା ।