୧୬ ବର୍ଷ ଧରି ଶାଶୁଘରେ ବନ୍ଦୀ ହୋଇ ରହିଥିଲେ ମହିଳା, ଉଦ୍ଧାର କଲା ପୋଲିସ

ବିବାହ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ଥାଏ । ଜଣେ ମହିଳା ପାଇଁ ତା ଜୀବନସାଥି ସବୁ କିଛି ହୋଇଥାଏ । ସୁଖ ଦୁଃଖରେ ସବୁବେଳେ ଜୀବନସାଥି ସାଙ୍ଗରେ ରୁହେ । କିନ୍ତୁ ବେଳେବେଳେ ଜଣେ ଜଣେ ମହିଳାଙ୍କୁ ଏମିତି ଜୀବନସାଥୀ ମିଳିଯାନ୍ତି ଯେ ତାଙ୍କ ଜୀବନ ବଂଚି ଥାଉ ଥାଉ ନର୍କରେ ଥିବା ସହ ସମାନ ହୋଇଯାଏ । ଅନେକ ବୋହୁ ଏପରି ଅଛନ୍ତି ଯେଉଁମାନେ ନିଜ ଶ୍ୱଶୁର ଘରେ ନିର୍ଯାତନାର ଶିକାର ହୁଅନ୍ତି । ଏମିତିକି ସେମାନେ ନିଜ ଦୁଃଖକୁ କାହା ଆଗରେ ମନ ଖୋଲି କହି ପାରନ୍ତିନି । ତେବେ ଆଜି ଏମିତି ଜଣେ ନିର୍ଯାତିତ ମହିଳାଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆମେ ଏଭଳି କହିବାର କାରଣ ହେଉଛି ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଦୀର୍ଘ ୧୬ ବର୍ଷ ଧରି ବନ୍ଦୀ କରି ରଖିଥିଲେ ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଜାହାଙ୍ଗୀରବାଦ୍ ଅଞ୍ଚଳରୁ ଆସିଛି ଏଭଳି ସଂଗୀନ ମାମଲା । ଏହି ଅଂଚଳରୁ ପୋଲିସ ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି । ଜାହାଙ୍ଗୀରବାଦର ଶାଶୁ ଘରେ ୧୬ ବର୍ଷ ଧରି ବନ୍ଦୀ ଥିଲେ ପୀଡିତା ମହିଳା । ଗୁରୁତର ଅବସ୍ଥାରେ ତାଙ୍କୁ ଶାଶୁଘରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ମହିଳାଙ୍କ ଶାଶୁଘର ଲୋକେ ତାଙ୍କ ସହ ଏପରି କାହିଁକି କରିଥିଲେ ତାହା ପ୍ରକାଶ କରାଯାଇ ନାହିଁ, କିନ୍ତୁ ତାଙ୍କ ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହିଳାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ମହିଳାଙ୍କୁ ଉଦ୍ଧାର କରିଥିଲା ।

ପୀଡିତାଙ୍କ ନାଁ ହେଉଛି ରାନୁ ସାହୁ । ସେ ନରସିଂହପୁରର ବାସିନ୍ଦା । ୨୦୦୬ରେ ରାନୁ ବିବାହ କରିଥିଲେ । ବିବାହ ପରେ ସବୁ କିଛି ଠିକ ଥିଲା କିନ୍ତୁ ୨୦୦୮ ମସିହା ପରଠାରୁ ଶାଶୁଘର ଲୋକେ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଦେବା ଆରମ୍ଭ କରିଥିଲେ । ଏପରିକି ତାଙ୍କୁ ତାଙ୍କ ବାପଘର ଲୋକଙ୍କ ସହ ଦେଖା କରାଇବାକୁ ଦେଇନଥିଲେ ରାନୁଙ୍କ ଶାଶୁ ଘର ଲୋକେ । କିନ୍ତୁ ଯେତେବେଳେ ରାନୁଙ୍କ ବାପା କିଶନ ଲାଲ ସାହୁ ପଡୋଶୀମାନଙ୍କ ଠାରୁ ତାଙ୍କ ଝିଅର ଅବସ୍ଥା ଖରାପ ହେବା ସମ୍ପର୍କରେ ଜାଣିବାକୁ ପାଇଲେ ସଂଗେ ସଂଗେ ଜାହାଙ୍ଗୀରବାଦ ପୋଲିସ ଏବଂ ମହିଳା ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ ।

ମହିଳାଙ୍କ ନିର୍ଯାତନା ଅଭିଯୋଗ ପାଇବା ପରେ ମହିଳା ପୋଲିସ ଷ୍ଟେସନର ଟିମ୍ ଜାହାଙ୍ଗୀରବାଦ୍ ଅଞ୍ଚଳର କୋଲି ଅଞ୍ଚଳରେ ପହଞ୍ଚିଥିଲା । ପରେ ଘରର ତୃତୀୟ ମହଲାରୁ ରାନୁ ସାହୁଙ୍କୁ ଅତି ଗୁରୁତର ଅବସ୍ଥାରେ ବିଛଣାରେ ଶୋଇଥିବାର ଦେଖିବାକୁ ପାଇଥିଲା ପୋଲିସ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ତୁରନ୍ତ ପୋଲିସ ଉଦ୍ଧାର କରିଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମହିଳା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଶିଳ୍ପା କୌରବଙ୍କ କହିବାନୁସାରେ ମହିଳାଙ୍କ ଅବସ୍ଥା ସୁଧୁରିବା ପର୍ଯ୍ୟନ୍ତ ପୋଲିସ ଅପେକ୍ଷା କରିଛି, ଯାହା ପରେ ତାଙ୍କ ବୟାନ ନିଆଯିବ । ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like