ଦେବପ୍ରୟାଗ ପୋଲିସ୍ ର ନୂଆ ତରିକା, ବିବାହରେ କନ୍ୟା ଯଦି ମଦକୁ ବିରୋଧ କରେ ମିଳିବ ପୁରସ୍କାର
ଉତ୍ତରାଖଣ୍ଡ : ମଦ ସୁଖର ସଂସାରକୁ ଉଜାଡି ଦିଏ । ଭଲ ଭଲ ଲୋକଙ୍କୁ ମଦୁଆ ବନାଇ ଦିଏ । ବିବାହରେ ତ ମଦ ନହେଲେ ବରଯାତ୍ରୀ ମିଳନ୍ତିନି । ଏହି ମଦ ପାଇଁ ବହୁ ବିବାହ କାର୍ଯ୍ୟକ୍ରମରେ ନାନା ଗଣ୍ଡଗୋଳ ହୋଇଥାଏ । ବିବାହରେ ମଦକୁ ରୋକିବା ପାଇଁ ଉତ୍ତରାଖଣ୍ଡ ଦେବପ୍ରୟାଗ ଜିଲ୍ଲାରେ ପୋଲିସ ଏକ ନୂଆ ତରିକା ଆପଣେଇଛି । ଯାହାର ନାମ ରଖିଛି ‘ଭୂଲି କନ୍ୟାଦାନ’ ।
ଏହି ଯୋଜନା ଅନୁଯାୟୀ ଯଦି ଜଣେ କନ୍ୟା ବିବାହ ବେଳେ ମଦକୁ ବିରୋଧ କରେ ତେବେ ସେହି କନ୍ୟାକୁ ପୋଲିସ ପକ୍ଷରୁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ । ତେବେ ଏହି ଅର୍ଥ ପୋଲିସ ତା’ନିଜ ପକେଟ୍ରୁ ଦେବ ବୋଲି ଜଣାପଡ଼ିଛି । ପୋଲିସ ଆଖ ପାଖର ଗାଁ ଗୁଡିକର ମୁଖ୍ୟଙ୍କୁ ଡାକି ଏ ସମ୍ପର୍କରେ କହିଛନ୍ତି । ସମସ୍ତେ ଏଥିରେ ସହଯୋଗର ହାତ ମଧ୍ୟ ବଢ଼ାଇଛନ୍ତି ।
ଭାରତରେ ଏବେ ବିଭାଘର ହେଉ ବା କୌଣସି ଭୋଜିରେ ମଦ ହୋଇଛି ମୁଖ୍ୟ ଉପାଦାନ । ପୋଲିସ କହିବା ଅନୁଯାୟୀ ଯଦି କନ୍ୟାମାନେ ମଦ ବିରୋଧରେ ଆଗେଇ ଆସିବେ ତେବେ ବିବାହରୁ ମଦ ପାର୍ଟି ଦିନେ ଉଠିଯିବ । ଉତ୍ତରାଖଣ୍ଡର ଦେବପ୍ରୟାଗରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଦିନେ ନା ଦିନେ ସାରା ଭାରତରେ ପ୍ରଭାବ ପକାଇବ ବୋଲି ଜିଲ୍ଲାର ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି । ଦେବପ୍ରୟାଗ ପୋଲିସର ଏହି ଅଭିନବ ଉଦ୍ୟମକୁ ସବୁଠି ପ୍ରଶଂସା କରାଯାଇଛି ।