କୋଲକତା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣା: ଆସିଲା ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଭାଙ୍ଗିଯାଇଥିଲା ବେକ ହାଡ, ଆଖିରେ ପଶିଥିଲା ଭଙ୍ଗା କାଚ

କୋଲକତା ଆରଜି କର ମେଡିକାଲ କଲେଜ ହସପିଟାଲ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆନ୍ଦୋଳନ ବଢିବାରେ ଲାଗିଛି । ଏପଟେ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବା ନାଁ ଧରୁ ନ ଥିବା ବେଳେ ପୀଡ଼ିତା ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଅଭିଯୁକ୍ତ ଟ୍ରେନିଂ ଡାକ୍ତରଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହାପରେ ତଣ୍ଟି ଚିପି ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି ।

ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଦୁଷ୍କର୍ମ କରିବା ପୂର୍ବରୁ ପୀଡ଼ିତାଙ୍କୁ ପ୍ରବଳ ପିଟିଥିଲେ । ତାଙ୍କ ମୁହଁକୁ ବହୁଥର ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ଚଷମା ଭାଙ୍ଗି ଯାଇଥିଲା । ଏପରିକି ଚଷମାର କାଚର କିଛି ଅଂଶ ତାଙ୍କ ଆଖିରେ ପଶି ଯାଇଥିବା ଜଣାଯାଇଛି । ପ୍ରବଳ ମାଡ ଯୋଗୁ ପୀଡ଼ିତାଙ୍କ ବେକ ହାଡ଼ ଭାଙ୍ଗି ଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ହତ୍ୟା ପୂର୍ବରୁ ସମ୍ପୃକ୍ତ ଡାକ୍ତରୀ ଛାତ୍ରୀଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ଏହାପରେ ତଣ୍ଟି ଚିପି ତାଙ୍କ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ପୀଡ଼ିତାଙ୍କ ହତ୍ୟା ଶୁକ୍ରବାର ଭୋର ୩ଟାରୁ ୫ଟା ମଧ୍ୟରେ ହୋଇଥିବା ରିପୋର୍ଟରେ ରହିଛି ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି  । ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି । ଅଭିଯୁକ୍ତ ସଞ୍ଜୟ ରାୟ ପୋଲିସ କଲ୍ୟାଣ ବୋର୍ଡର ସହାୟକ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତର ମୋବାଇଲ ଫୋନ ଜବତ କରିଛି ପୋଲିସ । ଯେଉଁଥିରୁ ଅଶ୍ଲୀଳ ଭିଡିଓ ମିଳିଥିବା ସୂଚନା ମିଳିଛି । ତଦନ୍ତ ବେଳେ ପୋଲିସ ମେଡିକାଲ କଲେଜର ସିସିଟିଭି ଫୁଟେଜ ଯାଞ୍ଚ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.