FMରେ ଶୁଣନ୍ତୁ ମହାକୁମ୍ଭର ସିଧାପ୍ରସାରଣ, ଆକାଶବାଣୀ ଲଞ୍ଚ୍ କଲା ‘କୁମ୍ଭବାଣୀ’ ଚ୍ୟାନେଲ

ଏବେ FMରେ ଶୁଣିପାରିବେ ମହାକୁମ୍ଭର ସିଧାପ୍ରସାରଣ । ଆକାଶବାଣୀ ଲଞ୍ଚ୍ କଲା ‘କୁମ୍ଭବାଣୀ’ ଚ୍ୟାନେଲ । ମହାକୁମ୍ଭ ୨୦୨୫ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘କୁମ୍ଭବାଣୀ’ FM ଚ୍ୟାନେଲ ଶୁଭାରମ୍ଭ କରିଛନ୍ତି । ଏହି ଚ୍ୟାନେଲ 103.5 MHz ରେ ପ୍ରସାରିତ ହେବ ଏବଂ ମହାକୁମ୍ଭ ସହ ଜଡିତ ପ୍ରତ୍ୟେକ ସୂଚନା ଦେଶର କୋଣ ଅନୁକୋଣରେ ପହଞ୍ଚାଇବ । ପ୍ରସାର ଭାରତୀର ରେଡିଓ ବିଭାଗ ଆକାଶବାଣୀ ଦ୍ୱାରା ଶୁକ୍ରବାର ‘କୁମ୍ଭବାଣୀ’ ଏଫଏମ୍ ଚ୍ୟାନେଲ ଲଞ୍ଚ କରାଯାଇଛି ।

ଏହି ଚ୍ୟାନେଲ ଜାନୁୟାରୀ ୧୦ରୁ ଫେବୃୟାରୀ ୨୬ ପର୍ଯ୍ୟନ୍ତ ମହାକୁମ୍ଭର ଲାଇଭ୍ ପ୍ରସାରଣ କରିବ । ଏହାକୁ ପ୍ରତିଦିନ ସକାଳ ୫ଟା ୫୫ରୁ ରାତି ୧୦ଟା ୫ ପର୍ଯ୍ୟନ୍ତ ଅନ୍ ଏୟାର କରାଯିବ ।

ଏଫ୍ଏମ୍ ଶୁଭାରମ୍ଭ ଅବସରରେ ସିଏମ୍ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କୁମ୍ଭବାଣୀ କେବଳ ଲୋକପ୍ରିୟତାର ନୂଆ ଦିଗକୁ ଛୁଇଁବ ନାହିଁ, ବରଂ ଯେଉଁଠି ଲୋକମାନେ ବ୍ୟକ୍ତିଗତ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ, ସେହି ଗାଁ ଏବଂ ଅଞ୍ଚଳକୁ ଏହା ମହାକୁମ୍ଭର ବାର୍ତ୍ତା ନେଇଯିବ । ସିଏମ୍ ଯୋଗୀ ଏହାକୁ ‘ସନାତନ ଧର୍ମ’ର ଗର୍ବ ଏବଂ ଏକତାର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି ।

ସିଏମ୍ ମହାକୁମ୍ଭକୁ କେବଳ ଧାର୍ମିକ ଆୟୋଜନ ନୁହେଁ, ବରଂ ସନାତନ ଧର୍ମର ମହାନତା ଏବଂ ଗୌରବର ଉତ୍ସବ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ଆୟୋଜନ ସାମ୍ପ୍ରଦାୟିକତା, ଜାତି ଏବଂ ଭେଦଭାବର କାନ୍ଥ ଭାଙ୍ଗି ସମଗ୍ର ବିଶ୍ୱକୁ ଏକତାର ବାର୍ତ୍ତା ଦେଇଥାଏ ।

ସେ ଲାଇଭ୍ ପ୍ରସାରଣର ଗୁରୁତ୍ୱକୁ ଧ୍ୟାନରେ ରଖି କହିଛନ୍ତି, ଏହି ପ୍ରକାରର ଉଦ୍ୟମ ଦ୍ୱାରା ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ମହାକୁମ୍ଭର ମହାନତାକୁ ଅନୁଭବ କରିପାରିବେ ଏବଂ ବୁଝିପାରିବେ । ଏହି ଚ୍ୟାନେଲ ମାଧ୍ୟମରେ ମହାକୁମ୍ଭର ଧାର୍ମିକ ସନ୍ଦର୍ଭ, କଥା ଏବଂ ଲାଇଭ୍ କଭରେଜ୍ ସମସ୍ତଙ୍କ ପାଇଁ ସୁଲଭ ହେବ ବୋଲି ସିଏମ୍ କହିଛନ୍ତି ।