ବଳପୂର୍ବକ ଭାବେ ପ୍ରିନ୍ସିପାଲଙ୍କୁ ସିଟ୍ରୁ ହଟାଇଲେ, ଭିଡିଓ ଭାଇରାଲ୍

ଲୋକମାନେ ଆଉ ଅଫିସରେ ଏ ମହିଳାଙ୍କ ପ୍ରତି ଏଭଳି ବ୍ୟବହାର କାହିଁକି ଦେଖାଉଛନ୍ତି । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏଭଳି ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଗୋଟିଏ ସ୍କୁଲର କର୍ମଚାରୀଙ୍କ ସହ ଏହାର ଅଧ୍ୟକ୍ଷ ମିଳିତ ଭାବେ ଅନୁଷ୍ଠାନର ମହିଳା ପ୍ରିନ୍ସିପାଲଙ୍କୁ ଟଣାଓଟରା କରିବା ସହ ବଳପୂର୍ବକ ତାଙ୍କୁ ସିଟ୍ରୁ ହଟାଇ ଦେଇଛନ୍ତି ।
ତେବେ ପୂରା ଘଟଣା ହେଉଛି, ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଥିବା ବିଶପ ଜନସନ ବାଳିକା ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତେବେ ପେପର୍ ଲିକ୍ ବିବାଦକୁ ନେଇ ଏଭଳି ସ୍ଥିତି ଉପୁଜିଛି । ଯେଉଁଥିପାଇଁ ମହିଳା ପ୍ରିନ୍ସିପାଲଙ୍କ ଅଫିସରେ ପଶି ତାଙ୍କୁ ସିଟ୍ ଛାଡ଼ିବାକୁ କହିଥିଲେ । ହେଲେ ମହିଳା ପ୍ରିନ୍ସିପାଲ ଜଣଙ୍କ ଏକଥା ନ ଶୁଣିବାରୁ ସେମାନେ ଚେୟାର ସହ ତାଙ୍କୁ ଅଫିସ ଭିତରେ ଭିଡ଼ା ଓଟରା କରିଥିଲେ । ତାଙ୍କ ମୋବାଇଲ ଫୋନ ମଧ୍ୟ ନେଇ ଯାଇଥିଲେ । ତାଙ୍କୁ ବଳପୂର୍ବକ ସିଟ୍ରୁ ହଟାଇ ଆଉ ଜଣେ ମହିଳାଙ୍କୁ ପ୍ରିନ୍ସିପାଲ ଆସନରେ ବସାଯାଇଛି । ବର୍ତ୍ତମାନ ଅଫିସ ଭିତରର ଏହି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।
ତେବେ ପ୍ରୟାଗରାଜରେ ଫେବୃଆରୀ ୧୧ରେ ପରୀକ୍ଷା ଆରମ୍ଭ ହେବା ପୂର୍ବ ପ୍ରଶ୍ନପତ୍ର ଲିକ ହୋଇଥିଲା । UPPSC Review Officer-Assistant Review Officer (RO-ARO) ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିଲା । ପରୀକ୍ଷା କେନ୍ଦ୍ରରୁ ସକାଳ ୬.୩୦ରେ ପ୍ରଶ୍ନପତ୍ରକୁ ମୋବାଇଲରେ ଫଟୋ ଉଠାଯାଇ ଲିକ କରାଯାଇଥିଲା । ଏହି ଅଭିଯୋଗରେ ୟୁପି ଏସଟିଏଫ ୧୦ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ବିଶପ ଜନସନ ବାଳିକା ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ଆଡମିନଷ୍ଟ୍ରେଟର ବିନୀତ ଯଶୱନ୍ତ ମଧ୍ୟ ରହିଥିଲେ । ସେହିପରି ପେପର ଲିକ୍ ସହ ପ୍ରିନ୍ସିପାଲ ପାରୁଲ ସୋଲୋମୋନଙ୍କ ସମ୍ପର୍କ ରହିଛି । ଏଥିପାଇଁ ତାଙ୍କୁ ବିଦା କରାଯାଇଥିଲା ।
ତେବେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକାଧିକ ଲୋକ ଅଫିସରେ ପଶି ସେମାନେ ପାରୁଲଙ୍କ ମୋବାଇଲ ଫୋନ ସିଜ କରିବାକୁ ଚେଷ୍ଟା କରୁଛନ୍ତି । ଶେଷରେ ଜଣେ ମହିଳା କର୍ମଚାରୀ ପାରୁଲଙ୍କ ମୋବାଇଲ ଫୋନ ଛଡ଼ାଇବାରେ ସକ୍ଷମ ହେଉଛନ୍ତି । ଏହାପରେ ତାଙ୍କୁ ଚେୟାରରୁ ବଳପୂର୍ବକ କିଛି ହଟାଇବାକୁ ଚେଷ୍ଟା କରୁଛନ୍ତି ।
ବେଶ କିଛି ସମୟର ଟଣାଓଟରା ପରେ ପାରୁଲଙ୍କୁ ସିଟ୍ରୁ ହଟାଇ ଦିଆଯାଇଥିଲା । ଏହାପରେ ଶେରଲୟନ ମାସୀଙ୍କୁ ସ୍କୁଲର ନୂଆ ପ୍ରିନ୍ସିପାଲ ଭାବେ ସେହି ବସାଯାଇଥିଲା । ପାରୁଲଙ୍କ ବହିଷ୍କାର ପରେ ମାସୀଙ୍କୁ ନୂଆ ପ୍ରିନ୍ସିପାଲ ଭାବେ ନିଯୁକ୍ତି ମିଳିଥିଲା। ହେଲେ ମାସୀ ଦାୟିତ୍ୱ ନେବାକୁ ଆସିଲା ବେଳକୁ ପାରୁଲ ତାଙ୍କୁ ଅଫିସରେ ପୂରାଇ ଦେଇ ନଥିଲେ । ଯାହା ଫଳରେ ଏପରି କାଣ୍ଡ ଘଟିଥିଲା । ଏହି ଘଟଣା ପରେ ପାରୁଲ ଦୁର୍ବବ୍ୟହାର ଅଭିଯୋଗ ନେଇ ଗୋଟିଏ ମାମଲା ରୁଜୁ କରିଛନ୍ତି ।