ପ୍ରୟାଗରାଜ: ମାଘ ମେଳାରେ ରଖାଗଲା ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ମଡେଲ, ଝଲକ୍‌ ପାଇ ଭାବବିହ୍ଵଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ

ଅଯୋଧ୍ୟାରେ ପ୍ରସ୍ତୁତ ହେଉଥିବା ଭଗବାନ ରାମଙ୍କ ଭବ୍ୟ ମନ୍ଦିରକୁ ନେଇ ରାମ ଭକ୍ତଙ୍କ ମଧ୍ୟରେ ଖାସ୍‌ ଉତ୍ସୁକତା ରହିଛି। ମନ୍ଦିର କେଉଁ ପ୍ରକାରର ହେବ, ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ କେମିତି ନଜର ଆସିବ, ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କୁ ଉତ୍ତର ପ୍ରଦେଶର ସଙ୍ଗମ ନଗରୀ ପ୍ରୟାଗରାଜରେ ଲାଗିଥିବା ମାଘ ମେଳାକୁ ଆସିବାକୁ ହେବ। ମାଘ ମେଳାରେ ଏଥର ଭଗବାନଙ୍କ ରାମଙ୍କ ନିର୍ମାଣାଧୀନ ମନ୍ଦିରର ମଡେଲ ରଖାଯାଇଛି। ଏହି ମଡେଲ ବିଲ୍‌କୁଲ ସେହି ସ୍ୱରୂପରେ ପ୍ରସ୍ତୁତ କରାଯାଇଛି, ଯେପରି ରାମ ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ ନଜର ଆସିବ। ରାମ ମନ୍ଦିରର ଏହି ମଡେଲ ମାଘ ମେଳାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।

ମଡେଲକୁ ଦେଖି ଶ୍ରଦ୍ଧାଳୁ ଭାବବିହ୍ଵଳ

ୟୁପିର ପର୍ଯ୍ୟଟନ ବିଭାଗ କ୍ୟାମ୍ପରେ ରଖାଯାଇଥିବା ଏହି ମଡେଲକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ରାମ ଭକ୍ତମାନେ ଏହାକୁ ଦେଖି ଭାବବିହ୍ଵଳ ହୋଇପଡ଼ୁଛନ୍ତି। କେହି କେହି ଏହି ମଡେଲ ସମ୍ମୁଖରେ ହାତ ଯୋଡ଼ି ଭକ୍ତିଭାବରେ ଡ଼ୁବିଯାଉଥିବା ବେଳେ ଆଉ କିଏ ପ୍ରତୀକାତ୍ମକ ରୂପେ ମନ୍ଦିର ପରିକ୍ରମା କରୁଛନ୍ତି। ଏହି ମଡେଲଟି କାଠରେ ପ୍ରସ୍ତୁତ ହୋଇଥିବା ବେଳେ ବାହାରେ କାଚର ଘେରା ବନାଯାଇଛି, ଯେପରି କେହି ଏହାକୁ ସିଧା ହାତ ମାରି ଛୁଇଁ ପାରିବେ ନାହିଁ। ତେବେ ରାମଙ୍କର ଭବ୍ୟ ମନ୍ଦିରର ମଡେଲ ସହିତ ୟୁପିର ଅନ୍ୟାନ୍ୟ ଧାର୍ମିକ ସ୍ଥଳର ଚିତ୍ର ମଧ୍ୟ ଏହି ପ୍ରଦର୍ଶନୀରେ ଲଗାଯାଇଛି। ଏହା ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ୟୁପି ଆସିବା ପାଇଁ ପ୍ରେରିତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.