ଭାରତ ରଚିବ ଇତିହାସ: ଚନ୍ଦ୍ରଯାନ-୩ର ସଫଳତା ପାଇଁ ସବୁଠି ଚାଲିଛି ଯଜ୍ଞ ଓ ନମାଜ ପାଠ
ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା । ଇସ୍ରୋର ଐତିହାସିକ ମିଶନର ସଫଳତା ପାଇଁ ପୁରାଦେଶ ଅପେକ୍ଷା କରିଥିବା ବେଳେ ଦେଶ ବିଦେଶରେ ଚାଲିଛି ପୂଜାର୍ଚ୍ଚନା ।

ନୂଆଦିଲ୍ଲୀ : ଚନ୍ଦ୍ରରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ଦେଶ ବିଦେଶରେ ଚାଲିଛି ପୂଜାର୍ଚ୍ଚନା । ଇସ୍ରୋର ଐତିହାସିକ ମିଶନର ସଫଳତା ପାଇଁ ପୁରାଦେଶ ଅପେକ୍ଷା କରିଥିବା ବେଳେ ଆମେରିକା ନ୍ୟୁଜର୍ସିରେ ଶ୍ରୀ ବାଲାଜୀ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ଭାରତୀୟ ସମୁଦାୟ ଏକାଠି ହୋଇ ମନ୍ଦିରରେ ପୂଜାର୍ଚ୍ଚନା କରି ଚନ୍ଦ୍ରଯାନର ସଫଳତା କାମନା କରିଛନ୍ତି । ସେହିପରି ବ୍ରିଟେନରେ ମଧ୍ୟ ଭାରତୀୟ ସମୁଦାୟ ପୂଜାର୍ଚ୍ଚନ କରିଛନ୍ତି । ସେହିପରି ବାରାଣାସୀରେ ମଧ୍ୟ ହୋମଯଜ୍ଞ କରାଯାଇଛି ।
ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଯଜ୍ଞ କରାଯାଉଛି। ବନାରସର କାମାଖ୍ୟା ମନ୍ଦିରରେ ଯଜ୍ଞ କରାଯାଉଛି ଏବଂ ଲକ୍ଷ୍ନୌର ଇସ୍ଲାମିକ ସେଣ୍ଟର ଅଫ୍ ଇଣ୍ଡିଆରେ ଲୋକେ ନମାଜ ପଢୁଛନ୍ତି। ସେହିପରି ମଧ୍ୟପ୍ରଦେଶ ଖରଗୋନର ପ୍ରସିଦ୍ଧ ସିଦ୍ଧନାଥ ମହାଦେବ ମନ୍ଦିରରେ ପୂଜା ଏବଂ ଆଳତୀ କରାଯାଇଛି। କାମାକ୍ଷା ମନ୍ଦିରରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପୂଜାର୍ଚ୍ଚନା ସହ ମୁନ ମିଶନର ସଫଳତା ପାଇଁ କାମନା କରାଯାଇଛି । ମୁମ୍ବାଇରେ ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଚନ୍ଦ୍ରଯାନର ସଫଳତା ପାଇଁ ପୂଜାର୍ଚ୍ଚନା କରାଯାଇଛି । ପ୍ରୟାଗରାଜରେ ବି ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ହୋମଯଜ୍ଞ କରାଯାଇଛି । ଭୋପାଳର ବୈଷ୍ଣୋଧାମ ଆଦର୍ଶ ନବଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନ ସହ ଜଳ ଲାଗି କରାଯାଇଛି ।
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟଲ୍ୟାଣ୍ଡିଂ କରିବାରେ ସଫଳ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି। ସମୟ ସମୟରେ ଚନ୍ଦ୍ରଯାନର ସବୁ ସିଷ୍ଟମକୁ ଯାଞ୍ଚ କରାଯାଉଛି। ସବୁ କିଛି ଭଲଭାବେ କାମ କରୁଛି। ଲ୍ୟାଣ୍ଡର ଅବତରଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହି ଅଭିଯାନ ସଫଳ ହେଲେ ଭାରତ ଚନ୍ଦ୍ର ବିଜୟ କରିଥିବା ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇଯିବ। ମାତ୍ର ଦକ୍ଷିଣ ମେରୁରେ ଯାନ ଅବତରଣ କରିଥିବା ବିଶ୍ବର ପ୍ରଥମ ରାଷ୍ଟ୍ର ହେବ।