ସ୍ୱାମୀଙ୍କୁ ଖୋଜୁଛନ୍ତି ଗର୍ଭବତୀ ପତ୍ନୀ, BSF ଯବାନଙ୍କୁ କେବେ ଛାଡ଼ିବ ପାକିସ୍ତାନ?

ସ୍ୱାମୀ ପାଇଁ ସୀମା ପାର କରିବାକୁ ବି ପଛାଉନି ସ୍ତ୍ରୀ । ଏ ଅବୁଝା ସ୍ତ୍ରୀଟିର ଗୋଟିଏ ଜିଦ ସ୍ୱାମୀଙ୍କୁ ଆଣିବାକୁ ପାକିସ୍ତାନ ଯିବି । ତାଙ୍କୁ ସୁରକ୍ଷିତ ଭାବରେ ଫେରେଇ ଆଣିବି । ପହଲଗାମ୍ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ବି ଜଣେ ଗର୍ଭବତୀ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ସୀମାକୁ ଯିବାକୁ ବାହାରିଛନ୍ତି । ଆମେ କହୁଛୁ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସାହୁଙ୍କ ପତ୍ନୀ ରଜନୀଙ୍କ ବିଷୟରେ । ଯିଏ ନିଜ ସ୍ୱାମୀଙ୍କ ପାଇଁ ଆଜି କିଛି ବି କରିବା ପାଇଁ ପ୍ରସ୍ତୁତ ।
ପଞ୍ଜାବର ଫିରୋଜପୁର ଜିଲ୍ଲରେ ଅନ୍ତର୍ଜାତୀୟ ସୀମାରେ ଏହି ଘଟଣା ଘଟିଛି । ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ୱାରା ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ପାକିସ୍ତାନ ସେନା ଅଟକ ରଖିଛି । ଏବେ ପୂର୍ଣ୍ଣମଙ୍କ ପତ୍ନୀ ରଜନୀ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ LOC ଯାତ୍ରାରେ ବାହାରିଛନ୍ତି । ସ୍ୱାମୀ ଯିବାର ଏତେଦିନ ପରେ ବି କୌଣସି ଖୋଜ ଖବର ନ ମିଳିବାରୁ ଖୋଦ୍ ପତ୍ନୀ ରଜନୀ ଏବେ ତାଙ୍କ ସ୍ବାମୀଙ୍କୁ ମୁକୁଳେଇବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ।
ଏହି ଘଟଣା ଏପ୍ରିଲ ୨୩ରେ ଘଟିଥିଲା । ଆଉ ସେନା ପକ୍ଷରୁ ୨୪ ତାରିଖ ଦିନ ସୂଚନା ଦିଆଯାଇଥିଲା । ଏପଟେ ଗତ ୨୨ ତାରିଖରେ ପହଲଗାମ ହମଲା ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଯାହା ଯବାନଙ୍କ ପରିବାରର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ପଶ୍ଚିମବଙ୍ଗର ହୁଗଳି ଜିଲ୍ଲା ରିଶ୍ରାରେ ରହୁଥିବା ପୂର୍ଣ୍ଣମ କୁମାର ବିଏସଏଫରେ ୧୮୨ତମ ବାଟାଲିୟନରେ କାର୍ଯ୍ୟରତ ଥିଲେ । ବିଏସଏଫ ଅଧିକାରୀଙ୍କ କହିବା ଅନୁଯାୟୀ, ସୀମା ନିକଟରେ କୃଷକମାନଙ୍କୁ ସୁରକ୍ଷା ଦେବାକୁ ଯାଇ ପୂର୍ଣ୍ଣମ ଏକ ଗଛ ତଳେ ବିଶ୍ରାମ କରୁଥିଲେ ।
ସେ ଅଜାଣତରେ ପାକିସ୍ତାନ ସୀମାକୁ ପଶି ଯାଇଥିବା ବେଳେ ତାଙ୍କୁ ପାକ୍ ଯୱାନ ତାଙ୍କୁ କବଜାକୁ ନେଇ ଯାଇଥିଲେ । ୪୦ ବର୍ଷ ବୟସ୍କ ପୂର୍ଣ୍ଣମ ବିଏସଏଫରେ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି ।
ଏହାପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଅଟକ ରଖି ସୀମା ଚୌକିରୁ ଦୂରକୁ ନେଇ ଯାଇଛନ୍ତି । ଯାହାପରେ ଏବେ ପୂର୍ଣ୍ଣମ ପତ୍ନୀ ତାଙ୍କୁ ମୁକୁଳାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ରଜନୀ ଏବେ ଗର୍ଭବତୀ ଅଛନ୍ତି । ଏହାପରେ ବି ସେ ନିଜ ସ୍ୱାମୀଙ୍କ ପାଇଁ ସୀମା ପାର କରିବାକୁ ଚାହୁଁଛନ୍ତି ।
ସେ କହିଛନ୍ତି, ମୁଁ ମୋ ସ୍ବାମୀଙ୍କ ସହ ଶେଷ ଥର ଗତ ମଙ୍ଗଳବାର ରାତିରେ କଥା ହୋଇଥିଲି । ବୁଧବାର ସକାଳ ୬ଟା ବେଳେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଆଟକ ରଖିଥିଲେ । ଏତେ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କୁ ମୁକୁଳା ଯାଇ ପାରି ନାହିଁ କିମ୍ବା ତାଙ୍କର କିଛି ଖବର ବି ମିଳି ନାହିଁ । ରଜନୀ କହିଛନ୍ତି କି ମୁଁ କେବଳ ଶୁଣୁଛି ଯେ ଦୁଇ ଦେଶ ଭିତରେ ଖାଲି ଫ୍ଲାଗ ମିଟିଂ ହେଉଛି । ତେଣୁ ରଜନୀ ନିଜ ସମ୍ପର୍କୀୟଙ୍କ ସହିତ ପଞ୍ଜାବର ପଠାନକୋଟ ଓ ଫିରୋଜପୁରକୁ ଆସିଛନ୍ତି ।
ତାଙ୍କ ସ୍ବାମୀଙ୍କ ମୁକ୍ତି ପାଇଁ କ’ଣ କରାଯାଉଛି, ସେ ସମ୍ପର୍କରେ ବିଏସଏଫ ଅଧିକାରୀଙ୍କ ଠାରୁ ସ୍ପଷ୍ଟ ଜାଣିବା ପାଇଁ ସେ ପଠାନକୋଟ ଆସିଛନ୍ତି । ରଜନୀ ରବିବାର ଅମୃତସର ମେଲ ଟ୍ରେନରେ ତାଙ୍କ ଦୁଇ ଭଉଣୀ ଓ ଜଣେ ଭାଇଙ୍କ ସହ ଯାତ୍ରା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଅନୁରୋଧ କରିବବେ । ପାଖାପାଖି ସପ୍ତାହେ ହେବାକୁ ବସିଲାଣି । ହେଲେ ପୂର୍ଣ୍ଣମଙ୍କୁ ନେଇ ଆଉ କିଛି କଥା ଆଗକୁ ଯାଇ ନାହିଁ ।
ତେଣୁ ଗର୍ଭବତୀ ପତ୍ନୀ ରଜନୀ ନିଜେ ପାକିସ୍ତାନକୁ ବ୍ୟକ୍ତିଗତ ଭାବେ ସ୍ବାମୀଙ୍କୁ ଛାଡ଼ିବା ପାଇଁ ନିବେଦନ କରିବେ ବୋଲି କହିଛନ୍ତି । ପୂର୍ଣ୍ଣମ ସାହୁ ୧୭ ବର୍ଷ ହେଲା ସେନାରେ କାର୍ଯ୍ୟ କରି ଆସୁଛନ୍ତି । ପୂର୍ଣ୍ଣମ ଓ ରଜନୀଙ୍କର ପୂର୍ବରୁ ଗୋଟିଏ ସନ୍ତାନ ଅଛି । ତେବେ ବର୍ତ୍ତମାନ ଗର୍ଭବତୀ ଥିବା ବେଳେ ତାଙ୍କ ସ୍ବାମୀ ପାକିସ୍ତାନୀ ସେନାର ହାତରେ ପଡ଼ିବା ଘଟଣା ତାଙ୍କୁ ବିଚଳିତ କରି ଦେଇଛି । ଏବେକାର ପରିସ୍ଥିତି ତାଙ୍କୁ ଆହୁରି ଭୟଭୀତ କରାଇଛି ।
ଅନ୍ୟପଟେ ଭାରତୀୟ ସେନା ବିଭାଗ ପକ୍ଷରୁ ଯାହା ସୂଚନା ମିଳିଛି କି ତିନି ତିନି ଥର ଆଲୋଚନା ପରେ ମଧ୍ୟ ପାକିସ୍ତାନ ପୂର୍ଣ୍ଣମଙ୍କୁ ଛାଡ଼ିବାକୁ ନାରାଜ । ଏମିତିକି ପୂର୍ଣ୍ଣମଙ୍କର ମୁହଁରେ କପଡ଼ା ବନ୍ଧା ଫଟୋ ରିଲିଜ୍ କରିବା ପରେ ବି ତାଙ୍କ ବିଷୟରେ ଆମେ କିଛି ଜାଣି ନାହୁଁ ବୋଲି କହିଛି । ତେଣୁ ଏସବୁ ଭିତରେ ଆଶଙ୍କାରେ ଅଛନ୍ତି ପୂର୍ଣ୍ଣମଙ୍କ ପରିବାର ଓ ଗର୍ଭବତୀ ପତ୍ନୀ । କାରଣ ଅଭିନନ୍ଦନ ବର୍ତ୍ତମାନଙ୍କ ଭଳି ତାଙ୍କୁ କାଳେ ପାକିସ୍ତାନୀମାନେ ନିର୍ଯାତନା ଦେବେ ସେହି ଭୟ ପରିବାର ଲୋକଙ୍କୁ ଘାରିଛି ।
ବିଭିନ୍ନ ସ୍ତରରୁ ପ୍ରତିଶ୍ରୁତି ମିଳୁଛି କି ପୂର୍ଣ୍ଣମ୍ ସୁରକ୍ଷିତ ଭାବେ ଫେରି ଆସିବେ । ହେଲେ ଏଇ ଆଶା ଭିତରେ ଅଧିକ ରହୁଛି ଆଶଙ୍କା । ତେଣୁ ପତ୍ନୀ ରଜନୀ ଏବଂ ଅନ୍ୟ ପରିବାର ଲୋକେ ସନ୍ଦେହ ଭିତରେ ଘାଣ୍ଟି ହେଉଛନ୍ତି । ବିଶେଷ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଦ୍ବିତୀୟ ସନ୍ତାନ ଜନ୍ମ ଅପେକ୍ଷାରେ ଥିବା ରଜନୀ ଏବେ ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି । ତେଣୁ ନିଜେ ଅଣ୍ଟା ଭିଡ଼ିଛନ୍ତି ସ୍ବାମୀଙ୍କୁ ମୁକୁଳାଇବା ପାଇଁ ।
Also read: ପହଲଗାମ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି, ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ