ଟିକିଏ ବି ହେଲାନି ଦୟା…ରେଲୱେ ଷ୍ଟେସନରେ ଗର୍ଭବତୀ ମହିଳାଙ୍କୁ ଦୁଇ ପିଲାଙ୍କ ସାମ୍ନାରେ ଗଣଦୁଷ୍କର୍ମ କଲେ ୩ ନିଶାଡ଼ି; ସ୍ୱାମୀଙ୍କୁ ବାନ୍ଧି ନିର୍ଧୁମ ପିଟିଲେ

ସବୁ ସୀମା ପାର୍‌ କରିଦେଲା ଆନ୍ଧ୍ର ପ୍ରଦେଶର ଏହି ଘଟଣା। ରାଜ୍ୟର ବାପଟଲା ଜିଲ୍ଲାରୁ ଏମିତି ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି, ଯାହାକି ଆପଣଙ୍କ ଛାତି ଥରାଇଦେବ। ଏଠାରେ ୩ ଜଣ ନିଶାଡ଼ି ନିଜର ହିତାହତ ଜ୍ଞାନ ଭୁଲି ଜଣେ ନିରୀହ ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଆଉ ତାହା ବି ତାଙ୍କର ଦୁଇ ସନ୍ତାନଙ୍କ ସାମ୍ନାରେ। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ରହିଥିବା ବେଳେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏଥି ସହିତ ଆଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।

ପୋଲିସ ସୂଚନା ମୁତାବକ, ଏଠାରେ ଜଣେ ଗର୍ଭବତୀ ମହିଳା ନିଜ ସ୍ୱାମୀ ଏବଂ ଦୁଇ ପିଲାଙ୍କ ସହିତ ରିପେଲ୍‌ ରେଲୱେ ଷ୍ଟେଶନରେ ବିଳମ୍ବିତ ରାତିରେ ଓହ୍ଲାଇଥିଲେ। କିନ୍ତୁ ଷ୍ଟେଶନରୁ ଯିବା ପାଇଁ ସେମାନଙ୍କୁ କୌଣସି ବସ୍‌ ମିଳି ନ ଥିଲା, ଯେଉଁଥିପାଇଁ ଏହି ପରିବାର ଷ୍ଟେଶନରେ ହିଁ ଅଟକି ଯାଇଥିଲେ ଏବଂ ସେଠାରେ ସମସ୍ତେ ଶୋଇ ପଡ଼ିଥିଲେ।

ନିଶାସକ୍ତ ଅବସ୍ଥାରେ ୩ ଅଭିଯୁକ୍ତ ଭିଆଇଲେ କାଣ୍ଡ

ଖବରରୁ ଜଣାପଡ଼ିଛି, ଷ୍ଟେଶନରେ ଅପେକ୍ଷାରତ ଏହି ପରିବାର ପାଖକୁ ହଠାତ୍‌ ୩ ଜଣ ନିଶାଡ଼ି ଆସିଥିଲେ ଏବଂ ସେମାନଙ୍କୁ ସେଠାରୁ କିଛି ଦୂରକୁ ନେଇଯାଇଥିଲେ। ଅଭିଯୁକ୍ତମାନେ ମହିଳାଙ୍କ ସ୍ୱାମୀଙ୍କୁ ଖୁଣ୍ଟରେ ବାନ୍ଧି ପକାଇ ନିର୍ଧୁମ ପିଟିଥିଲେ, ଆଉ ଏହାପରେ ସ୍ୱାମୀ ଓ ଦୁଇ ପିଲାଙ୍କ ସାମ୍ନାରେ ହିଁ ଗର୍ଭବତୀ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଘଟଣାଟି ରବିବାର ବିଳମ୍ବିତ ରାତିର ବୋଲି ପୋଲିସ କହିଛି।

ସହାୟତା କରିବା ପାଇଁ କେହି ମିଳିଲେ ନାହିଁ

ପୋଲିସ କହିଛି, ଷ୍ଟେଶନରେ ଉକ୍ତ ପରିବାରକୁ ୩ ଜଣ ନିଶାଡ଼ି ପ୍ରଥମେ ଆକ୍ରମଣ କରିଥିଲେ। ଯେତେବେଳେ ମହିଳା ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ, ତ ସେମାନେ ତାଙ୍କୁ ଟାଣି ଟାଣି ଷ୍ଟେଶନ ବାହାରକୁ ନେଇଯାଇଥିଲେ। ଏହି ସମୟରେ ମହିଳାଙ୍କ ସ୍ୱାମୀ ଜୋର୍‌ରେ ପାଟି କରିବା ସହ ପୋଲିସ ସହାୟତା ନେବାକୁ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ କୌଣସି ସହାୟତା ମିଳିପାରି ନ ଥିଲା। ପରେ ମହିଳା ଜଣକ ଗୁରୁତର ଅବସ୍ଥାରେ ପାଖ ବୁଦାମୂଳରୁ ମିଳିଥିଲେ। ମହିଳାଙ୍କୁ ଉଦ୍ଧାର କରାଯାଇ ବର୍ତ୍ତମାନ ମେଡିକାଲ ଯାଞ୍ଚ ଏବଂ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଏ ନେଇ ସ୍ଥାନୀୟ ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୭୬(ଡି), ୩୯୪ ଓ ୩୦୭ ଅଧୀନରେ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ପୋଲିସ ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.