ଚଳନ୍ତା ଟ୍ରେନରେ ସନ୍ତାନ ଜନ୍ମ ଦେଲେ ମହିଳା, ରେଲେଓ୍ଵର ୧ ଟଙ୍କିଆ କ୍ଲିନିକ୍‌ରେ ହେଲା ଚିକିତ୍ସା, ଏମିତି ବଞ୍ଚିଗଲା ଜୀବନ

ମହାରାଷ୍ଟ୍ରର ମୁମ୍ବାଇ ନିକଟରେ ଶନିବାର ଏକ ଲୋକାଲ୍‌ ଟ୍ରେନରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ସନ୍ତାନ ଜନ୍ମ ଦେଇଛନ୍ତି। ମହିଳାଙ୍କୁ ତୁରନ୍ତ ରେଲେଓ୍ଵର ଥାଣେ ଜିଲାର ୧ ଟଙ୍କିଆ କ୍ଲିନିକ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ଜରୁରିକାଳୀନ ଚିକିତ୍ସା ପରେ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ମା’ ଏବଂ ଛୁଆ ଦୁହେଁ ସୁସ୍ଥ ଅଛନ୍ତି।

ଶିବାଜୀ ଟର୍ମିନସ୍‌ରୁ ଥାଣେ ଯାଉଥିଲେ ମହିଳା

ମହିଳା ଜଣକ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ରୁ ଥାଣେ ଯାଉଥିଲେ। ଏହି ସମୟରେ ଟ୍ରେନ୍‌ରେ ହିଁ ତାଙ୍କର ପ୍ରସବ ପୀଡ଼ା ଆରମ୍ଭ ହୋଇଯାଇଥିଲା। କିଛି ସମୟ ପରେ ମହିଳା ସନ୍ତାନ ଜନ୍ମ ଦେଇଥିଲେ। ଏ ନେଇ ଯାତ୍ରୀମାନେ ରେଲେଓ୍ଵ ଅଧିକାରୀଙ୍କୁ ଖବର ଦେଇଥିଲେ। ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରେଲେଓ୍ଵର ଡାକ୍ତର ତୁରନ୍ତ ସେଠାରେ ପହଞ୍ଚି ମହିଳାଙ୍କୁ ୧ ଟଙ୍କିଆ କ୍ଲିନିକ୍‌ ନେଇଥିଲେ।

ରେଲେଓ୍ଵର ୧ ଟଙ୍କିଆ କ୍ଲିନିକରେ ସଫଳତାପୂର୍ବକ ପ୍ରସବ କରାଇବା ଏବଂ ସହାୟତା କରିବାରେ ଏହା ୯ମ ଘଟଣା ଅଟେ। କିଛି ମାସ ପୂର୍ବରୁ କୋଙ୍କଡ଼ କେନ୍ୟା ଏକ୍ସପ୍ରେସରେ ମୁମ୍ବାଇ ଯାଉଥିବା ୨୦ ବର୍ଷୀୟା ଆଉ ଜଣେ ମହିଳା ମଧ୍ୟ ଯାତ୍ରା ସମୟରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କୁ ମଧ୍ୟ ଠିକ୍‌ ସେହିଭଳି ପ୍ରସବ ପୀଡ଼ା ହୋଇଥିଲା। ତାଙ୍କୁ ଥାଣେ ଷ୍ଟେଶନର ୧ ଟଙ୍କିଆ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ପରେ ସରକାରୀ ହସ୍ପିଟାଲ ନିଆଯାଇଥିଲା।

ଏହାସହ ପଢ଼ନ୍ତୁ: କ୍ୟାମେରା ନେଇ ନଦୀକୁ ବାହାରିଲେ ବୁଡ଼ାଳି, ୭ ମିଟର ଲମ୍ବା ଆନାକୋଣ୍ଡା ସହ ହେଲା ସାମ୍ନାସାମ୍ନି, ଦେଖନ୍ତୁ ଭିଡିଓ

ରେଲେଓ୍ଵ ଅଧିକାରୀଙ୍କ କହିବା ମୁତାବକ, ଯେତେବେଳେ ଲୋକାଲ୍‌ ଟ୍ରେନ୍‌ ଥାଣେ ଷ୍ଟେଶନରେ ପହଞ୍ଚିବାର ଥିଲା, ସେତେବେଳେ ମହିଳାଙ୍କୁ ପ୍ରସବ ପୀଡ଼ା ଆରମ୍ଭ ହୋଇଥିଲା। ଏହାର କିଛି ସମୟ ପରେ ସେ ସନ୍ତାନକୁ ଜନ୍ମ ଦେଇଥିଲେ। ସେଠାରେ ଉପସ୍ଥିତ ଯାତ୍ରୀମାନେ ତତ୍ପରତା ଦେଖାଇଥିଲେ ଏବଂ ସଙ୍ଗେ ସଙ୍ଗେ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସୁରକ୍ଷିତ ପ୍ରସବ, ମା’ ଏବଂ ଛୁଆ ସୁସ୍ଥ ଥିବାକୁ ନେଇ ରେଲେଓ୍ଵର ଅଧିକାରୀ ଓ ଡାକ୍ତରମାନେ ଖୁସି ବ୍ୟକ୍ତ କରିଛନ୍ତି। ସେହିଭଳି ମହିଳାଙ୍କ ସମ୍ପର୍କୀୟମାନେ ମଧ୍ୟ ଯାତ୍ରୀ, ରେଲେଓ୍ଵ ଅଧିକାରୀ ଏବଂ ଡାକ୍ତରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।