ହସପିଟାଲ ବେଡରେ ସ୍ବାମୀ ଆଖି ବୁଜିଲେ । ହେଲେ ବେଡ ସଫା କରିବାକୁ ମହିଳାଙ୍କୁ ବାଧ୍ୟ କଲେ ହସପିଟାଲ କର୍ମଚାରୀ । ୫ ମାସର ଗର୍ଭବତୀ ମହିଳାଙ୍କୁ ସ୍ବାମୀ ମୃତ୍ୟୁବରଣ କରିଥିବା ବେଡକୁ ସଫା କରିବାକୁ ବାଧ୍ୟ କଲେ । ଏଭଳି ଅମାନୁଷିକ କାଣ୍ଡ ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାର ଗାଡାସରଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ।
ଏପରି ଘଟଣାର ଭିଡିଓ ଭାଇରଲ ହେଉଥିବା ବେଳେ ଏହାକୁ ଚାରିଆଡ଼ୁ ନିନ୍ଦା କରାଯାଉଛି । ଏନେଇ ରାଜ୍ୟ ସରକାର ତୁରନ୍ତ କାର୍ଯାନୁଷ୍ଠାନ ନେଇ ୨ ଜଣଙ୍କୁ ନିଲମ୍ବିତ କରିଥିବା ବେଳେ ମେଡିକାଲ ଇନଚାର୍ଜଙ୍କୁ ବଦଳି କରାଯାଇଛି ।
ଖବର ମୁତାବକ, ଜମି ବିବାଦକୁ ନେଇ ଆକ୍ରମଣ ପରେ ମହିଳା ଜଣକ ରକ୍ତରେ ଭିଜୁଥିବା ସ୍ୱାମୀ ରଘୁରାଜ ମରାବୀଙ୍କୁ ଡାକ୍ତରଖାନାରେ ପହଞ୍ଚିଥିଲେ । ଚିକିତ୍ସା ସମୟରେ ଗୁରୁତର ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ରକ୍ତ ଜୁଡୁବୁଡୁ ବେଡ୍ ସଫା କରିବା ପାଇଁ କୁହାଯାଇଥିଲା । ମହିଳାଜଣକ ୫ ମାସର ଗର୍ଭବତୀ ରହିଥିବା ବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁର ଦୁଃଖକୁ କିଭଳି ହସ୍ପିଟାଲ କର୍ମଚାରୀ ବୁଝିପାରିଲେନି ବୋଲି ଚର୍ଚ୍ଚା ହେଉଛି । ଚିକିତ୍ସାଳୟରେ ସଫା ରଖିବା ନିମନ୍ତେ କର୍ମଚାରୀ ଥିବା ସତ୍ତ୍ୱେ ଜଣେ ମୃତକଙ୍କ ପତ୍ନୀଙ୍କୁ ଏପରି କାମ କରାଇବାକୁ କିପରି କୁହାଯାଉଛି ବୋଲି ଚର୍ଚ୍ଚା ଚାଲିଛି ।
The husband of a 5-month pregnant woman had died some time ago. After her husband’s death, the government hospital administration forced her to clean the bed. The incident took place in Dindori, Madhya Pradesh. pic.twitter.com/WtASJ8JpV8
— The Dalit Voice (@ambedkariteIND) November 1, 2024
ଏନେଇ ଡିଣ୍ଡୋରି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତରଫରୁ ଜାରି ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି, ଗତ ୩୧ ତାରିଖରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁସାରେ ଗାଡାସରଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମୃତ ରୋଗୀଙ୍କ ପତ୍ନୀଙ୍କୁ ବେଡ ସଫା କରିବାକୁ ବାଧ୍ୟ କରାଯାଉଛି । ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ତାଙ୍କ ଉତ୍ତର ସନ୍ତୋଷଜନକ ନୁହେଁ । ତେଣୁ ଏପରି ଏକ ଘୃଣ୍ୟ କାମ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ମାମଲାରେ ଡାକ୍ତରଙ୍କ ସମେତ କର୍ମଚାରୀଙ୍କୁ ନୋଟିସ ଜାରି କରାଯାଇଥିଲା । ଡାକ୍ତରଖାନା ପରିଚାଳନା କାର୍ଯ୍ୟକୁ ଚରମ ଅବହେଳା ବୋଲି ବିଚାର କରି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି ।