ମହାରାଷ୍ଟ୍ରରେ ଗୋଟିଏ ଦିନରେ ଗଲା ୧୦୮ ଜୀବନ, ହୋଇପାରେ ଲକଡାଉନ୍
ମହାରାଷ୍ଟ୍ରରେ ପୁଣି ଫେରିପାରେ ଲକଡାଉନ୍। ଏଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। କୋଭିଡ ସ୍ଥିତିର ସମୀକ୍ଷା କରି ଉଦ୍ଧବ କହିଛନ୍ତି, ରାଜ୍ୟରେ କିିଛି ଅମାନିଆ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଆବଶ୍ୟକ ପଡିଲେ ଲକଡାଉନ ଭଳି କଠୋର ପଦକ୍ଷେପ ଗ୍ରହଣ କରାଯିବ ।
CM Uddhav Balasaheb Thackeray addressing the state https://t.co/aU3H6umKzm
— CMO Maharashtra (@CMOMaharashtra) February 21, 2021
ରାଜ୍ୟରେ କୋଭିଡ୍ ସଂକ୍ରମଣରେ ଦ୍ରୁତ ବୃଦ୍ଧି, ଡାକ୍ତରଖାନାରେ ବେଡ୍ ଅଭାବ ଓ ସ୍ୱାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା କିଛି ଦିନ ମଧ୍ୟରେ ସଂପୂର୍ଣ୍ଣ ଲକଡାଉନ କରିବାକୁ ଗମ୍ଭୀରତାର ସହ ବିଚାର କରୁଥିବା ଜଣାପଡ଼ିଛି । ଏଥିପାଇଁ ଅଧିକାରୀଙ୍କୁ ଏସଓପି ପ୍ରସ୍ତୁତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଯାହାଦ୍ଵାରା ପଦକ୍ଷେପ ଯୋଜନାବଦ୍ଧ ଭାବରେ ନିଆଯାଇପାରିବ । ବୈଠକରେ ମହାରାଷ୍ଟ୍ରରେ ଦ୍ଵିତୀୟ ଲକଡାଉନ ଲାଗୁ ହେବା ପରେ ଖାଦ୍ୟ ଶସ୍ୟ, ଔଷଧ, ଅତ୍ୟାବଶ୍ୟକ ସେବା ତଥା ଚିକିତ୍ସା ସୁବିଧା ଯୋଗାଣ କିପରି ଭାବେ ହୋଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ ସମୟରେ ଅର୍ଥନୀତି ସହ ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ପ୍ରାଥମିକତା ବୋଲି ଉଦ୍ଧବ କହିଛନ୍ତି।
ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୪୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୮ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହା ପୂର୍ବରୁ ୨୩ ଅକ୍ଟୋବରରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗତକାଲି ରାତିରୁ ରାଜ୍ୟରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ଯାଏ ରାତ୍ରିକାଳୀନ କଟକଣା ଲାଗିଛି ।