ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ : ନିଟ୍‌ ପେପର ଲିକ୍‌ ବିବାଦ, ନିରପେକ୍ଷ ଯାଞ୍ଚ ହେବ ବୋଲି କହିଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ଦେବା ସମୟରେ ନିଟ୍‌ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଖବର ସାମ୍ନାକୁ ଆସିଥିଲା । ନିଟ୍-ୟୁଜି ପେପର ଲିକ୍ ଉପରେ ନିରପେକ୍ଷ ଯାଞ୍ଚ ଚାଲିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ପେପର ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି । ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପଦକ୍ଷେପ ନେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ସରକାରୀ ଭର୍ତ୍ତି ହେଉ ଅବା ପରୀକ୍ଷା, କୌଣସି କାରଣ ଯୋଗୁଁ ପରୀକ୍ଷାରେ ବାଧା ଆସିବା ଉଚିତ ନୁହେଁ । ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଆମ ସରକାର ପ୍ରତିବଦ୍ଧ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ନିଜର ଅଭିଭାଷଣ କହିଥିଲେ, ଭାରତର ନିର୍ବାଚନରେ ଭାଗ ନେଇଥିବା କୋଟି କୋଟି ଲୋକଙ୍କୁ ମୁଁ ଶୁଭେଚ୍ଚା ଜଣାଇଥିଲେ । ଏହି ନିର୍ବାଚନ ଦେଶର ସବୁଠୁ ବଡ ନିର୍ବାଚନ ରହିଥିଲା । ପାଖାପାଖି ୬୪ କୋଟି ଲୋକ ମତଦାନ ସାବସ୍ତ୍ୟ କରିଥିଲେ , ମହିଳା ମାନେ ମଧ୍ୟ ଅଧିକ ସଂଖ୍ୟକ ଭାବରେ ନିଜର ମତ ସାବସ୍ତ୍ୟ କରିଥିଲେ । ଜମ୍ମୁ କଶ୍ମୀରରେ ମଧ୍ୟ ଏହି ନିର୍ବାଚନ ପ୍ରତିଫଳନ ହୋଇଥିବା ଦେଖିବାକୁ ମିଳିଥିଲା ।

ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଘରୋଇ ମତଦାନ ଗ୍ରହଣ କରାଯାଇଥିଲା । ଏହି ୨୦୨୪ ନିର୍ବାଚନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ନିର୍ବାଚନରେ ସରକାର ବହୁମତ ରେ ନିଜର ସରକାର ଗଢିଥିଲେ । ୧୦ ବର୍ଷର ସୁଶାସନ ଉପରେ ଲୋକ ମୋହର ମାରିଛନ୍ତି ।

ସୂଚନାଯୋଗ୍ୟ, ନିଟ୍‌ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍‌ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସାରା ଦେଶରେ ବିକ୍ଷୋଭ ହେଉଥିବା ବେଳେ ଘଟଣାର ତଦନ୍ତ ପାଇଁ ସିବିଆଇ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ।