ବାସ୍‌ ବହୁତ ହୋଇଗଲା…ଝିଅମାନଙ୍କ ବିରୋଧରେ ଏଭଳି ଅପରାଧ ବରଦାସ୍ତ କରାଯିବନି : ରାଷ୍ଟ୍ରପତି

କୋଲକତା ଆରଜି କର ହସପିଟାଲ ଏବଂ କଲେଜରେ ମହିଳା ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, ଏହି ଘଟଣା ନିରାଶ ଏବଂ ଭୟଭୀତ । ସେ ଦେଶରେ ବଢ଼ୁଥିବା ମହିଳା ବିରୋଧୀ ହିଂସାକୁ ନେଇ ହତାଶା ଓ ବିଚଳିତ ଭାବ ପ୍ରକାଶ କରିଛନ୍ତି । କୋଲକତା ଘଟଣାକୁ ଭୟଙ୍କର ଓ ଉଦବେଗଜନକ କହିଛନ୍ତି । ବହୁତ ହୋଇଗଲା ବୋଲି କହିଛନ୍ତି ରାଷ୍ଟ୍ରପତି ।

ଦେଶରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଉଥିବାରୁ ସେ କ୍ଷୁବ୍ଧ ହୋଇଛନ୍ତି । ସେ କହିଛନ୍ତି, “କୌଣସି ସଭ୍ୟ ସମାଜ କେବେ ହେଲେ ଝିଅ ଓ ଭଉଣୀମାନଙ୍କ ବିରୋଧୀରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ । ବହୁତ ହୋଇଗଲା । ଏହା ଉପରେ ବିରାମ ଲାଗିବା ଦରକାର । ଯେଉଁ ଲୋକ ଏଭଳି ଅମାନୁଷିକ ବିଚାର ରଖୁଛନ୍ତି, ସେମାନେ ମହିଳାଙ୍କୁ ଏକ ବସ୍ତୁ ରୂପେ ଦେଖୁଛନ୍ତି ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ । କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି । ପୀଡ଼ିତା ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଅଭିଯୁକ୍ତ ଟ୍ରେନିଂ ଡାକ୍ତରଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହାପରେ ତଣ୍ଟି ଚିପି ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like