ଗଲଓ୍ଵାନ ଘାଟିରେ ଫେରିପାରେ ପୂର୍ବ ସ୍ଥିତି, ସାମରିକସ୍ତରୀୟ ଆଲୋଚନା ପରେ ପଛକୁ ହଟିବାକୁ ଭାରତ ଓ ଚୀନ୍ ରାଜି
ଦୁଇ ଦେଶର ବିବାଦ ଉପରେ ନଜର ରଖିଛି ଆମେରିକାର

ନୂଆଦିଲ୍ଲୀ: ଗଲଓ୍ଵାନ ଘାଟିରେ ଫେରିପାରେ ପୂର୍ବ ସ୍ଥିତି । ସାମରିକସ୍ତରୀୟ ଆଲୋଚନା ପରେ ପଛକୁ ହଟିବାକୁ ସହମତି ପ୍ରକାଶ କରିଛନ୍ତି ଉଭୟ ଭାରତ ଓ ଚୀନ୍ । ପୁଣି ଥରେ ଗଲଓ୍ଵାନ ଘାଟି ଓ ଗୋଗରା ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏପଟେ ଭାରତ-ଚୀନ୍ ବିବାଦ ଉପରେ ନଜର ରଖିଛି ଆମେରିକା । ଦୁଇ ଦେଶର ସଂପର୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ହ୍ଵାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କେଏଲି ମ୍ୟାକ୍ନାନୀ ସୂଚନା ଦେଇଛନ୍ତି । ଏହାସହ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଥିବା କହିଛି ଆମେରିକା।
ଏହାସହ କେଏଲି ମ୍ୟାକ୍ନାନୀ କହିଛନ୍ତି, ଭାରତ-ଚୀନ୍ ସୀମାରେ ଚୀନ୍ର ଆକ୍ରମଣାତ୍ମକ ଆଭିମୁଖ୍ୟ ବିଶ୍ୱର ଅନ୍ୟ ସ୍ଥାନରେ ଚୀନ୍ର ଆକ୍ରୋଶ ସହ ସମାନ ରହିଛି । ଏପରି କାର୍ଯ୍ୟ କେବଳ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟିର ବାସ୍ତବିକ ପ୍ରକୃତିକୁ ଜଣାଉଛି । ଭାରତ ୫୯ଟି ଚାଇନିଜ୍ ଆପ୍ ନିଷିଦ୍ଧ କରିବା ପରେ ଏପରି ପ୍ରତିକ୍ରିୟା ରଖିଛି ଆମେରିକା ।
ଅନ୍ଯପଟେ ଚୀନ୍ର ଯେକୌଣସି ଚାଲ୍କୁ ମାତ୍ ଦେବା ପାଇଁ ଭାରତ ପ୍ରସ୍ତୁତ ରହିଛି । ସୀମାରେ ସେନା ପ୍ରସ୍ତୁତିର ତଦାରଖ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ଲେହ ଗସ୍ତରେ ଯାଉଛନ୍ତି । ରାଜନାଥଙ୍କ ସହ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରବଣେ ମଧ୍ୟ ଲେହ ଯାଉଥିବା ଜଣାପଡ଼ିଛି ।