କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୁରୋହିତଙ୍କୁ ମିଳିବ ୯୦ ହଜାର ଦରମା, କନିଷ୍ଠ ଓ ସହାୟକ ପୂଜାରୀ ପାଇବେ ଏତିକି ପାରିଶ୍ରମିକ

କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାରୀମାନଙ୍କର ମୋଟ ୫୦ଟି ପଦ ରହିବ ଏବଂ ଏହି ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯିବ । ଜିଲ୍ଲାର ସମସ୍ତ ସଂସ୍କୃତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମନ୍ଦିର ତରଫରୁ ମାଗଣାରେ ପୋଷାକ ଏବଂ ପୁସ୍ତକ ପ୍ରଦାନ କରାଯିବ ।

ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୁରୋହିତଙ୍କୁ ପାରିଶ୍ରମିକ ରୂପେ ୯୦ ହଜାର ଟଙ୍କା ମିଳିବ । ସେହିପରି କନିଷ୍ଠ ପୂଜାରୀଙ୍କୁ ୮୦ ହଜାର ଏବଂ ସହାୟକ ପୂଜାରୀଙ୍କୁ ୬୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯିବ । କାଶୀ ବିଶ୍ୱନାଥ ମନ୍ଦିର ନ୍ୟାସର ୧୦୫ତମ ବୈଠକରେ ୪୧ ବର୍ଷ ପରେ ପୂଜାରୀ ସେବା ନିୟମାବଳୀକୁ ନେଇ ସହମତି ପ୍ରକାଶ ପାଇଛି ।

ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ମନ୍ଦିରରେ ପୂଜାରୀମାନଙ୍କର ମୋଟ ୫୦ଟି ପଦ ରହିବ ଏବଂ ଏହି ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯିବ । ଏହା ବ୍ୟତୀତ ଜିଲ୍ଲାର ସମସ୍ତ ସଂସ୍କୃତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମନ୍ଦିର ତରଫରୁ ମାଗଣାରେ ପୋଷାକ ଏବଂ ପୁସ୍ତକ ପ୍ରଦାନ କରାଯିବ । ପ୍ରଥମ ଥର ବିଶ୍ୱନାଥ ମନ୍ଦିର ସଂସ୍କୃତ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରିବ । ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରାଯିବ ।

ସହରରେ ବିଭିନ୍ନ ସ୍ଥାନରେ ବାବାଙ୍କ ଭୋଗ ପ୍ରସାଦ ବଣ୍ଟନ କରାଯିବ । ଷ୍ଟେସନ, ବସ୍‌ ଷ୍ଟପ୍‌ ଏବଂ ଘାଟଗୁଡ଼ିକରେ ରହୁଥିବା ଲୋକଙ୍କୁ ପ୍ରତିଦିନ ବାବାଙ୍କ ପ୍ରସାଦ ବିତରଣ କରାଯିବା ନେଇ ବୈଠକରେ ପ୍ରସ୍ତାବ ରଖାଯାଇଥିଲା । ମନ୍ଦିର ଅନ୍ନକ୍ଷେତ୍ରରେ ପ୍ରସାଦ ପ୍ରସ୍ତୁତ ପରେ ତାହାକୁ ପ୍ୟାକେଜିଂ କରାଯାଇ ସହରର ବିଭିନ୍ନ ସ୍ଥାନରେ ନିଃଶୁଳ୍କ ବିତରଣ କରାଯିବ ।