ଅଣନିଶ୍ବାସୀ ହୋଇପଡିଲାଣି ଦେଶର ରାଜଧାନୀ, ପ୍ରାଇମେରୀ ସ୍କୁଲ ଠାରୁ ଆରମ୍ଭ କରି ଖନନ ପର୍ଯ୍ୟନ୍ତ ଏସବୁ କରିବା ମନା
ଦିଲ୍ଲୀ ବଢିବାରେ ଲାଗିଛି ପ୍ରଦୂଷଣ । ବାୟୁ ମାନ ସାଂଘାତିକ ସ୍ତରରେ ପହଞ୍ଚିଛି । ବାୟୁ ଗୁଣବତ୍ତାରେ ଉଦବେଗଜନକ ସ୍ଥିତିକୁ ଦେଖି ଆଜିଠୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ବା ଜିଆରଏପିର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ ନିଷ୍ପତ୍ତି ନେଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ପ୍ରାଇମେରୀ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି । ଦିଲ୍ଲୀ-ଏନସିଆରରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲବନ୍ଦ ରଖାଯିବ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅନଲାଇନରେ କ୍ଳାସ ହେବ ।
ଜିଆର୍ ଏପି-୩ କାର୍ଯ୍ୟକାରୀ ହେଲେ ନିର୍ମାଣ ଓ ଉଚ୍ଛେଦ ବନ୍ଦ ରହିବ । ସମସ୍ତ ଅଣ-ଅତ୍ୟାବଶ୍ୟକ ଖଣି କାର୍ଯ୍ୟ ବନ୍ଦ ରହିବ, ଅଣ-ଇଲେକ୍ଟ୍ରିକ୍, ଅଣ-ସିଏନ୍ ଜି ଏବଂ ଅଣ ବିଏସ୍-୬ ଡିଜେଲ ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ ।
ଏଥିସହ ଆଜି ସକାଳ ୮ଟାରୁ ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ ଚାରିଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଯିବା ସହ ବାଣିଜ୍ୟିକ ଯାନଗୁଡ଼ିକୁ ରାଜଧାନୀରେ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ସେପଟେ ରାସ୍ତାରେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ବଢ଼ାଇବାକୁ ସିଏକ୍ୟୁଏମ୍ ନିର୍ଦ୍ଦେଶ ଦେଇଛି । ବିଶେଷ କରି ଟ୍ରାଫିକ୍ ସମୟ ପୂର୍ବରୁ ହଟ୍ ସ୍ପଟ୍ ଅଞ୍ଚଳରେ ରାସ୍ତା ଉପରେ ପାଣି ସିଞ୍ଚନ ବୃଦ୍ଧି କରିବାକୁ କୁହାଯାଇଛି । ସରକାର ଦିଲ୍ଲୀ ବାସିନ୍ଦାଙ୍କୁ ଯଥା ସମ୍ଭବ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।
ବଡ଼ ବଡ଼ ୱେଲଡିଙ୍ଗ ଓ ଗ୍ୟାସ କଟିଂ ଅପରେସନ ହେବ ନାହିଁ । ତେବେ ମେକାନିକାଲ, ଇଲେକ୍ଟ୍ରିକାଲ ଓ ପାଣି ପାଇପ ଜନିତ ଛୋଟ ଛୋଟ ୱେଲଡିଙ୍ଗକୁ ଅନୁମତି ରହିଛି । ପେଣ୍ଟିଂ, ପଲିଶିଂ ଓ ରଙ୍ଗ ଲିଭା କାର୍ଯ୍ୟ ହୋଇପାରିବ ନାହିଁ । ଘର ଭିତରେ ଛୋଟ ଧରଣର ସିମେଣ୍ଟ ଓ ରଙ୍ଗା ଦେବା କାମ ହୋଇପାରିବ ।
ସକାଳ ୬ଟାରେ ରାଜଧାନୀର ୩୧ ଅଞ୍ଚଳରେ ପ୍ରଦୂଷଣ ଅତି ଖରାପ ଶ୍ରେଣୀରୁ ଗମ୍ଭୀର ଶ୍ରେଣୀକୁ ଖସି ଆସିଥିଲା । ଜାହାଙ୍ଗୀରପୁରୀରେ ସର୍ବାଧିକ AQI ୫୬୭ ରେକର୍ଡ କରାଯାଇଥିଲା । ପଞ୍ଜାବ ବାଗରେ ୪୬୫ ଥିବାବେଳେ ଆନନ୍ଦ ବିହାରରେ AQI ୪୬୫ ରେକର୍ଡ କରାଯାଇଥିଲା । ଘନ କୁହୁଡ଼ି ଯୋଗୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୦୦ରୁ ଅଧିକ ବିମାନ ସେବା ବିଳମ୍ବ ହୋଇଛି । ଦ୍ୱିପ୍ରହର ସୁଦ୍ଧା ୧୧୫ ବିମାନ ଆସିଥିଲା ଏବଂ ୨୨୬ ବିମାନ ଉଡ଼ାଣ ଭରିଥିଲା ।