ନୂଆଦିଲ୍ଲୀ : ଧ୍ୟାନମୁଦ୍ରାରେ ପ୍ରଧାନମନ୍ତ୍ରୀ । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନମୁଦ୍ରାରେ ଅଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଅଭିଯାନ ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଧ୍ୟାନ କରିବାକୁ କନ୍ୟାକୁମାରୀରେ ପହଞ୍ଚିଥିଲେ। ଭଗବତୀ ଅମ୍ମନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଧ୍ୟାନ ଆରମ୍ଭ କରି ଦେଇଛନ୍ତି । ସେ ଜୁନ ୧ ସଂଧ୍ୟା ପର୍ଯ୍ୟନ୍ତ ଧ୍ୟାନମଗ୍ନ ରହିବେ। ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଥିବା ବେଳେ କୌଣସି ପର୍ଯ୍ୟଟକ ବିବେକାନନ୍ଦ ସ୍ମାରକୀ ଶିଳା ନିକଟକୁ ଯାଇପାରିବେ ନାହିଁ । ଖାଲି ସେତିକି ନୁହେଁ, ସମୁଦ୍ର ଉପକୂଳକୁ ମଧ୍ୟ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦୀ ସ୍ମାରକୀ ସ୍ଥଳର ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। କାରଣ ଏଠାରେ ଧ୍ୟାନ କରିବା ପରେ ବିବେକାନନ୍ଦଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଥିଲା ବୋଲି କୁହାଯାଏ । ବିବେକାନନ୍ଦ ସାରା ଦେଶ ଭ୍ରମଣ କରିବା ପରେ ଏହି ସ୍ମାରକୀ ସ୍ଥଳରେ ତିନିଦିନ ଧରି ଧ୍ୟାନ କରିଥିଲେ। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ୨ ହଜାର ପୋଲିସ କର୍ମୀଙ୍କ ସହିତ ଅନେକ ସୁରକ୍ଷା ଏଜେନ୍ସୀଙ୍କୁ ମୁତୟନ ହୋଇଛନ୍ତି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ କାଳରେ କୌଣସି ଅସୁରକ୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ୨ ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ତିରୁନେଲଭେଲି ରେଞ୍ଜ ଡିଆରଜି ପ୍ରବେଣ କୁମାର ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କୋର ସୁରକ୍ଷା ଟିମ ଅନେକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିସାରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସୁରକ୍ଷା ସମେତ ଅନ୍ୟ ବ୍ୟବସ୍ଥାକୁ ମଜଭୁତ କରାଯାଇଥିଲା ।
୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ କେଦାରନାଥ ଗସ୍ତ କରିଥିଲେ। ସେପଟେ କନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛି। ୪୮ ଘଣ୍ଟିଆ ସାଇଲେଣ୍ଟ ପିରିୟଡ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ନିର୍ବାଚନକୁ ପ୍ରଭାବିତ କରିବ ବୋଲି କଂଗ୍ରେସ ଅଭିଯୋଗ କରିଛି।