୩ ଦିନିଆ ରୁଷ ଓ ଅଷ୍ଟ୍ରିଆ ଗସ୍ତରେ ପ୍ରଧାନମନ୍ତ୍ରୀ, ଭାରତ- ଋଷିଆ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ୩ ଦିନିଆ ରୁଷ ଓ ଅଷ୍ଟ୍ରିଆ ଗସ୍ତରେ ଗଲେ ମୋଦି। ମସ୍କୋରେ ଆୟୋଜିତ ୨୨ତମ ଭାରତ- ଋଷିଆ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ । ଯୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ନରେନ୍ଦ୍ର ମୋଦିଙ୍କର ଏହା ପ୍ରଥମ ରୁଷ ଗସ୍ତ । ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ଅବସରରେ ମୋଦି ଓ ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ସହ ବିଭିନ୍ନ ଆନ୍ତର୍ଜାତିକ ଓ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା ହେବ ।
ଦ୍ବିପାକ୍ଷିକ ଆଲୋଚନାରେ ବାଣିଜ୍ୟ, ପ୍ରତିରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରିବେ । ଗତ ତିନି ବର୍ଷ ମଧ୍ୟରେ ଦୁଇ ଦେଶର ବାଣିଜ୍ୟ ୬୫ ବିଲିୟନ ଡଲାର ଅତିକ୍ରମ କରିସାରିଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଆହୁରି ସୁଦୃଢ କରିବାକୁ କୃଷି ଉତ୍ପାଦ, ସେରାମିକ ଟାଇଲ୍ସ, ଗାଡି ଉପକରଣ, ଇଞ୍ଜିନିୟରିଂ ସାମଗ୍ରୀ, ରାସାୟନିକ ଉତ୍ପାଦ ଏବଂ ଔଷଧ ରପ୍ତାନୀ ବୃଦ୍ଧି ସମ୍ପର୍କରେ ଆଲୋଚନା ହେବ ।
ସେହିପରି ପ୍ରତିରକ୍ଷା ଉପକରଣ ଉତ୍ପାଦନ ଭାଗିଦାରୀ ବୃଦ୍ଧି ପାଇଁ ମଧ୍ୟ ଆଲୋଚନା ହେବ । ଏହି ବୈଠକରେ ଆନ୍ତର୍ଜାତିକ ନର୍ଥ- ସାଉଥ କରିଡର ଏବଂ ଆର୍କଟିକ୍ ଓ ନର୍ଥ ସି ରୁଟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ । ମୋଦିଙ୍କୁ ରୁଷରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ରୁଷ ଗସ୍ତ ସାରି ଆସନ୍ତାକାଲି ଅଷ୍ଟ୍ରିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଦୀର୍ଘ ୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଅଷ୍ଟ୍ରିଆ ଗସ୍ତରେ ଯାଉଛନ୍ତି।