ଅଭିଭାବକ ଦେଉନାହାନ୍ତି ସ୍କୁଲ ଫି’, ଟାଣ ଖରାରେ ପିଲାଙ୍କୁ ବସାଇଲେ ପ୍ରିନ୍ସିପାଲ: ଭିଡିଓ କରି ପଠାଇଲେ

ସ୍କୁଲ ଫି’ ଦେଉ ନଥିବା ବାପା ମା’ଙ୍କ ପାଇଁ ଦଣ୍ଡ ଭୋଗିଲେ ଛାତ୍ରଛାତ୍ରୀ । ସ୍କୁଲ ଫି ଦେଇନଥିବା ଛାତ୍ରଛାତ୍ରୀଙ୍କୁ ପ୍ରଚଣ୍ଡ ଖରାରେ ବସାଇ ବାପା ମା’ଙ୍କୁ ୱାର୍ଣ୍ଣିଂ ଦେଇଛନ୍ତି ପ୍ରିନ୍ସିପାଲ । ପିଲାମାନେ ଖରାରେ ବସିଥିବା ବେଳେର ଭିଡିଓ ମଧ୍ୟ ଶୁଟିଂ କରିଛନ୍ତି ପ୍ରିନ୍ସିପାଲ । ଏପରି ଏକ ଘଟଣା ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗରରେ ଥିବା ଗୋଟିଏ ସ୍କୁଲରେ ଘଟିଛି । ଭିଡିଓ ଭାଇରଲ ହେବା ପରେ ଘଟଣାରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଖବର ମୁତାବକ, ସିଦ୍ଧାର୍ଥନଗରର ଇଟାୱା ସ୍ଥିତ ଶ୍ୟାମରାଜି ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ପ୍ରିନ୍ସିପାଲଙ୍କ ଏପରି କାର୍ଯ୍ୟକୁ ଜିଲ୍ଲାର ଏସଆଇ ନିନ୍ଦା କରିଛନ୍ତି । ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଖରାରେ ଗେଟ ବାହାରେ ବସାଇଥିଲେ ପ୍ରିନ୍ସିପାଲ । ପିଲାମାନଙ୍କ ଅଭିଭାବକ ସ୍କୁଲ ଫି ଦେଉନଥିବାରୁ ପ୍ରିନ୍ସିପାଲ ଏଭଳି ପଦକ୍ଷେପ ନେଇଛନ୍ତି । ବାହାରେ ପିଲାଙ୍କୁ ବସାଇବା ପରେ ଭିଡିଓ ସୁଟ୍‌ ମଧ୍ୟ କରିଥିଲେ ।

ସ୍କୁଲର ପ୍ରିନ୍ସିପାଲ ଶୈଳଶ କୁମାର ତ୍ରିପାଠୀ ଭିଡିଓ ଶୁଟିଂ କରିବା ବେଳେ କହିଛନ୍ତି, “ସମସ୍ତ ବାପା ମା’ଙ୍କୁ ୱାର୍ଣ୍ଣିଂ ଦେଇଥିଲି ଯେ, ଫି’ ଜମା ନ କରିବା ଯାଏ ପିଲାମାନଙ୍କୁ ସ୍କୁଲ ପଠାନ୍ତୁ ନାହିଁ । କିନ୍ତୁ ଆପଣମାନେ କେହି ବି ଶୁଣୁ ନାହାନ୍ତି । ଆପଣ ମୋତେ ସମସ୍ୟାରେ ପକାଇବା ପାଇଁ ସେମାନଙ୍କୁ ପଠାଉଛନ୍ତି । ଏଠାରେ ବସିଥିବା ପିଲାମାନେ ଫି’ ଦେଇ ନାହାନ୍ତି ଓ ମୁଁ ସେମାନଙ୍କୁ ଗେଟ ବାହାରେ ବସାଇଛି । ମୁଁ ଶେଷ ଥର ପାଇଁ ୱାର୍ଣ୍ଣିଂ ଦେଉଛି, ଯଦି ଆପଣମାନେ ଏହାକୁ ଦେଖି ଖରାପ ଭାବୁଛନ୍ତି, ତା’ହେଲେ ଏଥିପାଇଁ ଆପଣମାନେ ଦାୟୀ । ମୁଁ ନୁହେଁ ।

ବ୍ୟାଙ୍କ ମୋ ଉପରେ ୫୦ ହଜାର ଟଙ୍କା ଫାଇନ ଲଗାଇଛି । ଯଦି ପ୍ରତିମାସର ୧୫ ତାରିଖ ସୁଦ୍ଧା ଫି’ ଦାଖଲ ନ କରିବେ, ତା’ହେଲେ ଦିନ ପିଛା ୫ ଟଙ୍କା ଲେଖାଏଁ ଫାଇନ ଦେବାକୁ ପଡ଼ିବ । ଯେଉଁମାନେ ଏହି ନିୟମକୁ ମାନିବେ, ସେମାନେ ନିଜ ପିଲାଙ୍କୁ ଏଠାକୁ ପଠାଇପାରିବେ । ନଚେତ ପିଲାଙ୍କୁ ନିଜ ଘରେ ରଖି ଦିଅନ୍ତୁ।

ବିବାଦ ପରେ ପ୍ରିନ୍ସିପାଲ ତ୍ରିପାଠୀଙ୍କ ସହ ସାମ୍ବାଦିକମାନେ ଯୋଗାଯୋଗ କରିଥିଲେ । ସେ କହିଛନ୍ତି ଯେ ଘଟଣା ପାଇଁ ଯଦି କେହି ଖରାପ ଭାବୁଛନ୍ତି, ତା’ହେଲେ ସେଥିପାଇଁ ଦୁଃଖିତ । କିନ୍ତୁ ତାଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା । ସ୍କୁଲ ଋଣରେ ବୁଡ଼ି ରହିଛି । ପ୍ରତି ପିଲାଙ୍କ ମୁଣ୍ଡ ଉପରେ ୧୦ ହଜାରୁ ଲକ୍ଷାଧିକ ଟଙ୍କା ଯାଏ ଫି’ ବକେୟା ରହିଛି । ତେଣୁ ସେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିଲେ ।
ଏହି ମାମଲାରେ ଜିଲ୍ଲାର ବିଦ୍ୟାଳୟ ନୀରିକ୍ଷକ କହିଛନ୍ତି, ଭିଡିଓ ବିଷୟରେ ଜାଣିବା ପରେ ଯାଞ୍ଚ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like