ପୁଣେରେ କ୍ରାସ୍‌ ହେଲା ହେଲିକପ୍ଟର, ପାଇଲଟ୍‌ଙ୍କ ସହ ୪ ଆହତ

ମହାରାଷ୍ଟ୍ରର ପୁଣେରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର କ୍ରାସ୍‌ ହୋଇଥିବା କୁହାଯାଉଛି । ଜିଲ୍ଲାରେ ପାଣିପାଗର ସ୍ଥିତି ମଧ୍ୟ ଭଲ ନାହିଁ । ଅଞ୍ଚଳରେ ଲଗାଣ ବର୍ଷା ଚାଲିଛି । ଏହାରି ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟର ଗ୍ଲୋବାଲ ଆଭିଏସନ କମ୍ପାନୀର ବୋଲି ଜଣାପଡ଼ିଛି । ଏଥିରେ ପାଇଲଟ୍‌ଙ୍କ ସହ ଅନ୍ୟ ୩ ଜଣ ବ୍ୟକ୍ତି ଥିଲେ ।

ହେଲିକପ୍ଟରରେ ମୋଟ ୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି । ହେଲିକପ୍ଟର କ୍ରାସ୍‌ ହେବା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣା ଘଟିବା ବେଳେ ଆଖପାଖରେ ଉପସ୍ଥିତ ଲୋକମାନେ ଏହାର ଭିଡିଓ ରେକର୍ଡ କରିଥିଲେ ।

ଭିଡିଓରେ ହେଲିକପ୍ଟରଟି ଅନିୟନ୍ତ୍ରିତ ହୋଇ ଗୋଟିଏ ଜାଗାରେ ବୁଲୁଥିବାର ନଜର ଆସୁଛି । କିଛି ସମୟ ପରେ ଏହା ସେହି ସ୍ଥାନରେ କ୍ରାସ୍‌ ହୋଇଯାଉଛି । ଅନ୍ୟ ଏକ ଭିଡିଓରେ ସ୍ଥାନୀୟ ଲୋକେ ପୋଲିସ ସହ ଘଟଣାସ୍ଥଳରେ ଥିବାର ଦେଖିବାକୁ ମିଳୁଛି । ସେଠାରେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ହେଲିପକ୍ଟରଟି ପଡ଼ିଛି ।

ପୁଣେର ପୌଡ଼ି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ନମ୍ବର AW ୧୩୯ । ଏଥିରେ କ୍ୟାପଟେନ୍‌ ଆନନ୍ଦ, ଧୀର ଭାଟିଆ, ଅମରଦୀପ ସିଂ ଓ ଏସ୍‌ ପି ରାମ ଥିଲେ । ଦୁର୍ଘଟଣା ପରେ କ୍ୟାପଟେନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲିକପ୍ଟରଟି ଦ୍ୱିପ୍ରହର ସମୟରେ ମୁମ୍ବାଇର ଜୁହୁରୁ ହାଇଦ୍ରାବାଦ ପାଇଁ ଉଡ଼ାଣ ଭରିଥିଲା ।

You might also like