ଠିକ୍ ସମୟରେ ପାଠ କଲେ କଲମା, ଜୀବିତ ଛାଡିଦେଲେ ଆତଙ୍କବାଦୀ

ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ବକୁ ଦୋହଲାଇ ଦେଇଛି । ସବୁଠି ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଉଛି । ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଦୁଃଖରେ ବୁଡ଼ି ରହିଛି । ଏହାରି ଭିତରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଏମିତି କିଛି କଥା ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ ନାଁ ହେଉଛି ଦେବାଶିଷ ଭଟ୍ଟାଚାର୍ଯ୍ୟ ।  ଦେବାଶିଷ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସତ କିନ୍ତୁ ଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଦେଖାଇ ନିଜ ସହ ନିଜ ପରିବାରକୁ ବଞ୍ଚାଇଥିଲେ ।

ଦର୍ଶକ ବନ୍ଧୁ ଆତଙ୍କବାଦମାନେ ଆକ୍ରମଣ ସମୟରେ ପର୍ଯ୍ୟଟକଙ୍କୁ କଲମା ପଢ଼ିବାକୁ କହିଥିଲେ । ଯାହାକୁ ପଢ଼ିବା ପାଇଁ ଅସମର୍ଥ ଥିଲେ ଅନେକ ପର୍ଯ୍ୟଟକ । କିନ୍ତୁ ଦେବାଶିଷଙ୍କ ଉପଯୁକ୍ତ ବୁଦ୍ଧି ତାଙ୍କୁ ଆଜି ବଞ୍ଚାଇ ଦେଇଛି । ଆକ୍ରମଣ ସମୟରେ ସେ ଏମିତି କିଛି କରିଥିଲେ ଯେଉଁଥିପାଇଁ ଆତଙ୍କବାଦୀମାନେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବିତ ଛାଡି ଦେଇଥିଲେ ।

ଆକ୍ରମଣରୁ ବଞ୍ଚିଯାଇଥିବା ଦେବାଶିଷ ଭଟ୍ଟାଚାର୍ଯ୍ୟ ଆସାମର ଏକ ବିଶ୍ୱବିଦ୍ୟାଳୟର ବଙ୍ଗାଳୀ ଡିପାର୍ଟମେଣ୍ଟର ଆସୋସିଏଟେଡ୍ ପ୍ରଫେସର । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଫସି ଯାଇଥିଲେ ପ୍ରଫେସର । ସେ ତାଙ୍କ ପରିବାର ସହିତ ଏକ ଗଛ ତଳେ ଶୋଇଥିଲେ । ଏହି ସମୟରେ ହଠାତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ କଲମା ପଢ଼ିବାକୁ କହୁଥିବା ଶୁଣିବାକୁ ପାଇଥିଲେ ଦେବାଶିଷ । ସମୟ ବିଳମ୍ବ ନକରି ସେ ମଧ୍ୟ ସମସ୍ତ ଲୋକଙ୍କ ସହ କଲମା ପାଠ କରିବା ଆରମ୍ଭ କରିଥିଲେ ।  ଏହି ସମୟରେ ଆତଙ୍କବାଦୀମାନେ ତାଙ୍କ ପାଖରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରିଥିଲେ ।

ଦେବାଶିଷଙ୍କ କହିବା ଅନୁସାରେ, ଜଣେ ଆତଙ୍କବାଦୀ ତାଙ୍କୁ ପଚାରିଲେ, “ତୁମେ କଣ କରୁଛ?” ଜବାବରେ, ଭଟ୍ଟାଚାର୍ଯ୍ୟ ଜୋରରେ କଲମା ପାଠ କରିବା ଆରମ୍ଭ କରିଥିଲେ । ଦେବାଶିଷଙ୍କ ମୁହଁରୁ କଲମା ଶୁଣିବା ପରେ ସେହି ଆତଙ୍କବାଦୀ ସେଠାରୁ ଚାଲିଯାଇଥିଲା ।

ସୁଯୋଗ ପାଇବା ମାତ୍ରେ ସେ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ସାଙ୍ଗରେ ନେଇ ଚୁପଚାପ୍ ସେଠାରୁ ଖସିବା ଆରମ୍ଭ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଚାଲି ଚାଲି ଯାଇଥିଲେ ବି ରାସ୍ତା ପାଉନଥିଲେ । ଘୋଡା ପାଦ ଚିହ୍ନର ପିଛା କରି ଶେଷରେ ରାସ୍ତା ପାଇଲେ ଏବଂ ଶେଷରେ ଜଣେ ଘୋଡା ଆରୋହୀଙ୍କ ସହାୟତାରେ ହୋଟେଲରେ ପହଞ୍ଚିଥିଲେ।

ଦେବାଶିଷ ଭଟ୍ଟାଚାର୍ଯ୍ୟ ବହୁ କଷ୍ଟରେ ନିଜେ ଓ ନିଜ ପରିବାରକୁ  ବଞ୍ଚାଇଛନ୍ତି । ଆକ୍ରମଣରୁ ବଞ୍ଚିଥିବା ସେ ବିଶ୍ୱାସ କରିପାରୁ ନାହାଁନ୍ତି । ଏବେ ସେ ଶୀଘ୍ର ଶ୍ରୀନଗରରୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ।

Also Read: ଅଳ୍ପକେ ରକ୍ଷା ପାଇଥିବା ଲୋକଙ୍କ ଭୟଙ୍କର କାହାଣୀ, ଲୁଣିଆ ମଟନ ବଞ୍ଚାଇଦେଲା ଜୀବନ