ବାଂଲାଦେଶର ପିଏମ୍ ହାଉସ୍ରେ ପଶିଲେ ବିକ୍ଷୋଭକାରୀ, ହାତୁଡ଼ିରେ ପିଟି ଭାଙ୍ଗିଲେ ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତି
ବାଂଲାଦେଶରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ବ୍ୟାପକ ପୋଡ଼ାଜଳା ଏବଂ ହିଂସା ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦେଶ ଛାଡ଼ି ହେଲିକପ୍ଟର ଯୋଗେ ଭାରତ ଚାଲି ଆସୁଛନ୍ତି । ଏହାରି ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବିକ୍ଷୋଭକାରୀମାନେ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗୁଥିବାର ଦେଖାଯାଉଛନ୍ତି ।
ବିକ୍ଷୋଭକାରୀମାନେ ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତି ଉପରେ ଚଢ଼ି ଏହାକୁ ହାତୁଡ଼ିରେ ଭାଙ୍ଗୁଛନ୍ତି । ସେମାନେ ଏତେ ମାତ୍ରାରେ ଉଗ୍ର ହୋଇଉଠିଛନ୍ତି ଯେ ବାଂଲାଦେଶର ରାଷ୍ଟ୍ରପିତା କୁହାଯାଉଥିବା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିକୁ ହାତୁଡ଼ିରେ ପିଟି ଭାଙ୍ଗି ଦେଇଛନ୍ତି ।
ଦେଶବ୍ୟାପୀ କର୍ଫ୍ୟୁକୁ ଅଣଦେଖା କରି ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଦୀର୍ଘ ପଦଯାତ୍ରା ପାଇଁ ଢାକାର ଶାହବାଗ ଛକ ନିକଟରେ ଏକତ୍ରିତ ହୋଇଛନ୍ତି । ରବିବାର ହୋଇଥିବା ହିଂସାରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବିକ୍ଷୋଭକାରୀମାନେ ପିଏମ୍ ହାଉସ୍ ଭିତରେ ପ୍ରବେଶ କରି ସରକାରୀ ସମ୍ପତ୍ତିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ସେଠାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।
ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ଓ୍ଵାକର-ଉଜ୍-ଜମାନ ସାମ୍ବାଦିକ ସମ୍ମିଳନୀ କରି ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି କି, ‘ଆମେ ଆପଣଙ୍କ ଦାବି ପୂରଣ କରିବୁ । ଭଙ୍ଗାରୁଜାରୁ ଦୂରେଇ ରୁହନ୍ତୁ’ ।