ସିପିଆର୍ ଦେଇ ବଞ୍ଚାଇଥିଲେ ବିଧାୟକଙ୍କ ଜୀବନ, ପିଏସ୍ଓଙ୍କୁ ମିଳିବ ପଦୋନ୍ନତି ସହ ୫୦ ହଜାର ଟଙ୍କା ପୁରସ୍କାର

ମଧ୍ୟପ୍ରଦେଶର ରାଉ ବିଧାୟକ ମଧୁ ବର୍ମାଙ୍କ ଜୀବନ ବଞ୍ଚାଇଥିବା ତାଙ୍କ ପିଏସ୍ଓଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରଶଂସା କରିଛନ୍ତି । ପିଏସ୍ଓଙ୍କୁ ଆଉଟ୍ ଅଫ୍ ଟର୍ଣ୍ଣ ପ୍ରମୋସନ ସହିତ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସେପ୍ଟେମ୍ବର ୨୪ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟାରେ ବିଧାୟକ ମଧୁ ବର୍ମା ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ । ସେଠାରେ ଉପସ୍ଥିତ ତାଙ୍କ ପିଏସ୍ଓ ଅରୁଣ ସିଂ ଭଦୌରିଆ ଏବଂ ଅନ୍ୟ ଜଣେ ସହକର୍ମୀ ତାଙ୍କୁ ଏକ ପ୍ରାଇଭେଟ୍ କାର୍ରେ ହସ୍ପିଟାଲ ନେଇଯାଇଥିଲେ ।
ଏହି ସମୟ ମଧ୍ୟରେ ପିଏସ୍ଓ ଭଦୌରିଆ ରାସ୍ତାରେ ବିଧାୟକଙ୍କୁ ସିପିଆର୍ ମଧ୍ୟ ଦେଇଚାଲିଥିଲେ । ହସ୍ପିଟାଲରେ ଯାଞ୍ଚ ପରେ ବିଧାୟକଙ୍କ ହାର୍ଟରେ ବ୍ଲକେଜ୍ ଥିବା ଡାକ୍ତର କହିଥିଲେ । ଆଞ୍ଜିଓପ୍ଲାଷ୍ଟି ପରେ ବିଧାୟକ ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡ଼ିଛି । ବିଧାୟକଙ୍କ ଜୀବନ ରକ୍ଷା କରିବାରେ ଡାକ୍ତରଙ୍କ ସହ ପିଏସ୍ଓଙ୍କ ଭୂମିକା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।
ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଇନ୍ଦୋରରେ ପହଞ୍ଚିଥିଲେ । ସେ ବିଧାୟକ ମଧୁ ବର୍ମା ଏବଂ ତାଙ୍କ ପରିବାରଙ୍କୁ ହସ୍ପିଟାଲରେ ଭେଟିଥିଲେ । ଏହି ସମୟରେ ସିଏମ୍ଙ୍କୁ କୁହାଯାଇଥିଲା ଯେ ପିଏସ୍ଓ ଭଦୌରିଆ ରାସ୍ତାରେ ବିଧାୟକଙ୍କୁ ସିପିଆର୍ ଦେଇଥିଲେ । ଏହାପରେ ସିଏମ୍ ପିଏସ୍ଓଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଆଉଟ୍ ଅଫ୍ ଟର୍ଣ୍ଣ ପ୍ରମୋସନ ଦେବାକୁ ମଧ୍ୟ ଘୋଷଣା କରିଥିଲେ ।