ଫେବୃଆରୀ ୧୪କୁ ଝୁରୁଛି ସାରା ଦେଶ, ଆତଙ୍କୀ ଆକ୍ରମଣରେ ଦେଶ ହରାଇଥିଲା ୪୦ ବୀରପୁତ୍ର

ପୁଲୱାମା ଆକ୍ରମଣକୁ ପୂରିଛି ୬ ବର୍ଷ । ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଦେଶ । ଆଜିର ଦିନରେ ଠିକ୍ ୬ ବର୍ଷ ତଳେ ଯେବେ ଆତଙ୍କବାଦୀଙ୍କ ଜାଲରେ ଫସି ଯାଇଥିଲେ ଭାରତର ବୀର ଯବାନ । ଜମ୍ମୁ କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଦେଶ ହରାଇଥିଲା ୪୦ ବୀରପୁତ୍ର । ୬ ବର୍ଷ ପୂର୍ବେ ଆଜିର ଦିନରେ ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ନେଇଥିଲେ ୪୦ ସିଆରପିଏଫ ଯବାନ । ଫେବୃଆରୀ ୧୪ ତାରିଖ ଭାରତ ପାଇଁ କଳାଦିନ ହୋଇ ରହିଯାଇଛି ।

ଗତ ୨୦୧୯, ୧୪ ଫେବ୍ରୁଆରୀ ଦିନ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ । ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଆଉ ମାତୃଭୂମି ।

ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ଆଉ ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ । ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଏହାର ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଥରି ଯାଇଥିଲା । ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର । କେହି କିଛି ବୁଝିବା ଆଗରୁ ସବୁକିଛି ଶୂନ୍ଯ ହୋଇଯାଇଥିଲା । ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ । କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ଆତଙ୍କବାଦୀ ।

ଭାରତୀୟ ସେନା ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରିଥିଲା । ଫେବୃୟାରୀ ୨୬ ଭାରତୀୟ ବାୟୁସେନା ପାକ୍ ସ୍ଥିତ ବାଲାକୋଟର ଆତଙ୍କୀ ସଂଗଠନ ଜୈସ୍ – ଏ – ମହମ୍ମଦ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା ।

Also Read : ପୁଲୱାମା ଆକ୍ରମଣରେ ବ୍ୟବହୃତ ବିସ୍ପୋରକ ପ୍ରସ୍ତୁତି ପାଇଁ ଆମାଜନରୁ କିଣା ଯାଇଥିଲା ରାସାୟନିକ