ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ, ସିସିଟିଭିରେ କଏଦ ହେଲା ଘଟଣା

ପୁନେ: ମହାରାଷ୍ଟ୍ରର ପୁନେର ଏକ ଘଟଣା ସାମନାକୁ ଆସିଛି ।  ପିମ୍ପରି ଚିଞ୍ଚୱାଡର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାର ଏକ ଭିଡିଓ ନଜରକୁ ଆସିଛି ଯେଉଁଥିରେ ଯୁବକ ଜଣକ ବ୍ୟାୟାମ କରୁଥିବା ସମୟରେ ହଠାତ୍ ତଳେ ପଡ଼ି ଯାଉଥିବାର ଦେଖିବାକୁ ମିଳୁଛି ।

ମୃତକଙ୍କ ନାମ ମିଲିନ୍ଦ କୁଲକର୍ଣ୍ଣି ବୋଲି ଚିହ୍ନଟ କରାଯାଇଛି । ତାଙ୍କର ବୟସ ୩୭ ବର୍ଷ ବୋଲି ଜଣା ପଡିଛି । ତୁରନ୍ତ ଜିମ୍‌ରେ ଉପସ୍ଥିତ ଲୋକମାନେ ମିଲିନ୍ଦଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରମାନେ ତାଙ୍କୁ ପରୀକ୍ଷା ପରେ ମୃତ ଘୋଷଣା କରିଥିଲେ ।

ମିଲିନ୍ଦଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ମିଲିନ୍ଦ ପ୍ରାୟ ୬ ମାସ ପୂର୍ବରୁ ଜିମ ଯାଉଥିଲେ । କିନ୍ତୁ ତାଙ୍କର ଦିନଚର୍ଯ୍ୟା ନିୟମିତ ନଥିଲା ।
ଗତ କିଛି ଦିନ ମଧ୍ୟରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଯୁବପିଢ଼ିଙ୍କଠାରୁ ମଧ୍ୟବୟସ୍କ ପର୍ଯ୍ୟନ୍ତ ଲୋକମାନେ ଜିମ୍‌ରେ ବ୍ୟାୟାମ କରିବା ସମୟରେ ହୃଦଘାତର ଶିକାର ହୋଇଥିବା ଅନେକ ଘଟଣା ସାମନାକୁ ଆସିଛି ।

ଅନେକ ସମୟରେ ଏହି ଲୋକମାନେ ବାହାରକୁ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଆନ୍ତି, କିନ୍ତୁ ସେମାନଙ୍କର ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଅଭାବରୁ ହଠାତ୍ ଏପରି ଘଟଣା ଘଟେ । ଏହା ପଛରେ କ’ଣ କାରଣ ହୋଇପାରେ ? ଆସନ୍ତୁ ନଜର ପକାଇବା…

ଡାକ୍ତରୀ ଯାଞ୍ଚ ବିନା ଭାରୀ ବ୍ୟାୟାମ : ହୃଦୟ କେତେ ସକ୍ଷମ ତାହା ଯାଞ୍ଚ ନକରି, ଭାରୀ ବ୍ୟାୟାମ ମହଙ୍ଗା ସାବ୍ୟସ୍ତ ହୋଇପାରେ ।
ଜୀବନଶୈଳୀରେ ହଠାତ୍ ପରିବର୍ତ୍ତନ: ଅଫିସରୁ ସିଧା ଜିମ୍ ଯାଇ ଘଣ୍ଟା ଘଣ୍ଟା ବ୍ୟାୟାମ କରିବା ଦ୍ୱାରା ଶରୀର ଉପରେ ଚାପ ପଡ଼ିଥାଏ ।
କମ୍ ନିଦ ଏବଂ ଅଧିକ ଚାପ : କମ୍ ନିଦ ଏବଂ ଅଧିକ ମାନସିକ ଚାପ ହୃଦୟ ସ୍ୱାସ୍ଥ୍ୟ ପାଇଁ ଖରାପ ପ୍ରମାଣିତ ହୁଏ ।
ଅନୁପଯୁକ୍ତ ଖାଦ୍ୟ ଏବଂ ଷ୍ଟେରଏଡ୍ ବ୍ୟବହାର : ଶୀଘ୍ର ଫଳାଫଳ ପାଇବା ପାଇଁ ସପ୍ଲିମେଣ୍ଟ କିମ୍ବା ଷ୍ଟେରଏଡ୍‌ର ସାହାଯ୍ୟ ନେବା ମଧ୍ୟ କ୍ଷତିକାରକ ।

ତେବେ ଆସନ୍ତୁ ଜାଣିନେବା ହୃଦଘାତରୁ କିପରି ଆପଣ ରକ୍ଷା ପାଇବେ ?

ଜିମ୍ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ହୃଦୟ ଯାଞ୍ଚ କରନ୍ତୁ ।
ଆପଣଙ୍କ ଶରୀର ଅନୁସାରେ ବ୍ୟାୟାମ କରନ୍ତୁ ।
ଯଦି ଆପଣ କ୍ଳାନ୍ତ, ମୁଣ୍ଡ ଘୁରୁଥିବା କିମ୍ବା ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, ତେବେ ବ୍ୟାୟାମ ଛାଡିଦିଅନ୍ତୁ ।
କେବଳ ଜଣେ ବୃତ୍ତିଗତ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ବ୍ୟାୟାମ କରନ୍ତୁ ।

Also read: ଆପଣ ଘରେ ଏକା ଅଛନ୍ତି ଆଉ ହଠାତ ଆପଣଙ୍କୁ ହୃଦଘାତ ହେଲା ତେବେ ଏପରି ପରିସ୍ଥିତିରେ ଆପଣ କଣ କରିବେ?