ପୁଣେ: ହିଟ୍‌ ଆଣ୍ଡ ରନ୍‌ରେ ଚାଲିଗଲା କନଷ୍ଟେବଳଙ୍କ ଜୀବନ, ପାଟ୍ରୋଲିଂରେ ବାହାରିଥିବା ବେଳେ ଧକ୍କା ଦେଲା କାର୍‌

ମହାରାଷ୍ଟ୍ରରେ ହିଟ୍‌ ଆଣ୍ଡ ରନ୍‌ ମାମଲା କ୍ରମାଗତ ବଢ଼ିଚାଲିଛି । ଏବେ ପୁଣେରେ ଏକ ଘଟଣା ଘଟିଛି । ଏଠାରେ ପୁଣେ ପୋଲିସର ଜଣେ କନଷ୍ଟେବଳ ରବିବାର ବିଳମ୍ବିତ ରାତିରେ ହିଟ୍‌ ଆଣ୍ଡ ରନ୍‌ର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ଅନ୍ୟ ଜଣେ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଓଲ୍‌ଡ ପୁଣେ-ମୁମ୍ବାଇ ରାଜପଥରେ ହାରିସ୍‌ ବ୍ରିଜ୍‌ ତଳେ ଘଟିଛି ।

ମିଳିଥିବା ସୂଚନା ମୁତାବକ, ଖଡ଼କୀ ଥାନାରେ ବିଟ୍‌ ମାର୍ଶାଲ ରୂପେ କାର୍ଯ୍ୟରତ ଦୁଇ କନଷ୍ଟେବଳ ରାତି ପ୍ରାୟ ୨ଟାରେ ପାଟ୍ରୋଲିଂ ପାଇଁ ନିଜ ବାଇକ୍‌ରେ ଯାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କନଷ୍ଟେବଳ ସମାଧାନ କୋଲିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ଅନ୍ୟ ଜଣେ କନଷ୍ଟେବଳ ସିନ୍ଧେଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣା ପରେ ଅଭିଯୁକ୍ତ କାର୍‌ ଚାଳକ ଗାଡ଼ି ସହ ଫେରାର୍‌ ହୋଇଯାଇଛନ୍ତି । ପୋଲିସ ସିସିଟିଭି ଆଧାରରେ ତାଙ୍କୁ ଖୋଜାଖୋଜି କରୁଛି ।

ରବିବାର ସକାଳେ ମଧ୍ୟ ଏକ ହିଟ୍‌ ଆଣ୍ଡ ରନ୍‌ ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ଓ୍ଵର୍ଲି ଅଞ୍ଚଳରେ ଏଟ୍ରିଆ ମଲ୍‌ ନିକଟରେ ଏକ ଦ୍ରୁତଗାମୀ ବିଏମ୍‌ଡବ୍ଲ୍ୟୁ ସ୍କୁଟିରେ ଯାଉଥିବା ଜଣେ ମତ୍ସ୍ୟଜୀବୀ ଦମ୍ପତିଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ କାର୍‌ ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ ।

ଖବର ପାଇ ପୋଲିସ ପହଞ୍ଚି କାର୍‌ ଜବତ କରିବା ସହ ଏ ନେଇ ମାମଲା ପଞ୍ଜିକୃତ କରିଛି । ଏହି ଦୁର୍ଘଟଣା ରବିବାର ସକାଳ ସାଢ଼େ ୫ଟା ସମୟରେ ଘଟିଥିଲା । ମତ୍ସ୍ୟଜୀବୀ ଦମ୍ପତି ନିଜ ସ୍କୁଟିରେ ବସି ମାଛ ଆଣିବା ପାଇଁ ସସୁନ୍‌ ଡକ୍‌ ଯାଉଥିଲେ । ଯେତେବେଳେ ସେମାନେ ଏଟ୍ରିଆ ମଲ୍‌ ସମ୍ମୁଖରେ ପହଞ୍ଚିଥିଲେ, ପଛପଟୁ ଦ୍ରୁତଗତିରେ ଆସୁଥିବା ବିଏମ୍‌ଡବ୍ଲ୍ୟୁ କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା ।

ପୋଲିସ ମୁତାବକ, ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଆଧାରରେ ମାଲିକଙ୍କୁ ଚିହ୍ନଟ କରାଯାଇଛି । ଏହି ଗାଡ଼ି ଶିବସେନା ସିନ୍ଦେ ଦଳର ଜଣେ ନେତାଙ୍କର ବୋଲି ଜଣାପଡ଼ିଛି ।

You might also like