ନୂଆବର୍ଷ ପାର୍ଟି ପାଇଁ ଯୁବପିଢିଙ୍କୁ କଣ୍ଡୋମ ଏବଂ ଓଆରଏସ୍ ପଠାଉଛି ପବ୍, ପୋଲିସରେ ମାମଲା ଦାୟର
ନୂଆବର୍ଷ ପାଳନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ପ୍ରତ୍ୟେକ ସ୍ଥାନ ନୂଆବର୍ଷକୁ ମନାଇବା ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି । ୨୦୨୫କୁ ସ୍ୱାଗତ କରିବା ପାଇଁ ସବୁଆଡେ ଉତ୍ସାହ । ଆଉ ମାତ୍ର କେଇଘଣ୍ଟା ପରେ ବିଦାୟ ନେବ ୨୦୨୪, ପାଦ ଥାପିବ ୨୦୨୫ । ଜିରୋ ନାଇଟ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା । ଏଥିପାଇଁ ବିଭିନ୍ନ ହୋଟେଲରୁ ଆରମ୍ଭ କରି କ୍ଲବ ଓ ପବ୍ ମାନଙ୍କରେ ଚାଲିଛି ଜୋରଦାର ପ୍ରସ୍ତୁତି । ହୋଟେଲ ଗୁଡିକୁ ସୁନ୍ଦର ଭାବେ ସଜାଯିବା ସହ ଡିଜେ ନାଇଟ୍ ଓ ଡିନରର ବ୍ୟବସ୍ଥା କରାଯାଇଛି ।
ନୂଆବର୍ଷ ସେଲିବ୍ରେଶନ ପାଇଁ ମହାରାଷ୍ଟ୍ର ପୁଣେର ଏକ ପବ୍ ନିମନ୍ତ୍ରଣ ପତ୍ରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ପବ୍ ଯେଉଁମାନଙ୍କୁ ନିମନ୍ତ୍ରଣ ଦେଉଛି, ସେଥିରେ କଣ୍ଡୋମ ଏବଂ ଓଆରଏସ୍ ପଠେଇ ବିବାଦରେ ପଡ଼ିଛି । ଏହି ମାମଲା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ନୂଆବର୍ଷ ପାଳନ ପାଇଁ ପୁଣେର ଏକ ପବରେ ଆୟୋଜିତ ପାର୍ଟି ପାଇଁ ନିମନ୍ତ୍ରଣ ସହିତ କଣ୍ଡୋମ ଏବଂ ଓଆରଏସ୍ ପ୍ୟାକେଟ ପଠାଇବାକୁ ନେଇ ବିବାଦ ଲାଗି ରହିଛି । ମହାରାଷ୍ଟ୍ର ପ୍ରଦେଶ ୟୁଥ୍ କଂଗ୍ରେସ ଏ ନେଇ ପୁଣେ ଥାନାରେ ଅଭିଯୋଗ କରିଛି । ପବ୍ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ଲାଗି ଦାବି କରିଛନ୍ତି କଂଗ୍ରେସ ନେତା ଅମିତେଶ କୁମାର ।
ସେ କହିଛନ୍ତି, ଆମେ ପବ୍ କିମ୍ବା ନାଇଟ୍ ଲାଇଫକୁ ବିରୋଧ କରୁନାହୁଁ । କିନ୍ତୁ ପବର ଏ ପ୍ରକାର କାର୍ଯ୍ୟ ସହନୀୟ ନୁହେଁ । ଏପରି କରି ଯୁବପିଢ଼ିଙ୍କୁ ବାଟବଣା କରିବାକୁ ଚାହୁଁଛି ପବ୍ । ଏହାକୁ ଆମେ ଘୋର ନିନ୍ଦା କରୁଛୁ ।
ତେବେ ମାମଲା ଦାୟର ହେବା ପରେ ପୋଲିସ ନିମନ୍ତ୍ରଣ ପାଇଥିବା ଲୋକଙ୍କ ବୟାନ ନେଉଛି ।
ସୂଚନାଯୋଗ୍ୟ, ନୂଆବର୍ଷ ସେଲିବ୍ରେସନ ପାଇଁ ପ୍ରତ୍ୟେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ବିଭିନ୍ନ ହୋଟେଲ, ପବ୍ ଉପରେ ନଜର ରଖିଛି ପୋଲିସ । କୌଣସି ଅପ୍ରୀତିକର ପରିସ୍ଥିତି ନ ହେଉ ତେଣୁ ସମସ୍ତେ ସଜାଗ ରହିଛନ୍ତି ।