ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅସୁସ୍ଥ, ମୋହାଲିର ହସ୍ପିଟାଲରେ ଭର୍ତ୍ତି

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅସୁସ୍ଥ । ତାଙ୍କୁ ମୋହାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ସେ ତିନିଥର ବେହୋଶ୍‌ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସିଏମ୍‌ ମାନଙ୍କର ସବୁ ପ୍ରକାରର ଡାକ୍ତରୀ ପରୀକ୍ଷା ଚାଲିଛି । ରୋଗର ପ୍ରକୃତ କାରଣ ଜଣାପଡି ନାହିଁ ।

ତେବେ ସିଏମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାଯାଇଛି । କିନ୍ତୁ ହସ୍ପିଟାଲ କତ୍ତୃର୍ପକ୍ଷ ଏ ନେଇ କୌଣସି ବିବୃତ୍ତି ଦେଇନାହାନ୍ତି । କିଛି ଦିନ ତଳେ ମାନ ନିମ୍ନ ରକ୍ତଚାପ ଅଭିଯୋଗ କରିବା ପରେ ତାଙ୍କୁ ମୋହାଲି ବିମାନବନ୍ଦରରୁ ଦିଲ୍ଲୀ ଫେରିବାକୁ ପଡିଥିଲା ।

୯ ଦିନ ପୂର୍ବରୁ ଭଗବନ୍ତ ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା । ସେ ସେପ୍ଟେମ୍ବର ୧୭ରେ ଚଣ୍ଡିଗଡ଼ ବିମାନବନ୍ଦରରେ ଥିଲେ । ଏହି ସମୟରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚଣ୍ଡିଗଡ଼ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀର ଏକ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । କୁହାଯାଉଛି ଯେ ସିଏମ୍ ମାନ ପେଟ ସଂକ୍ରମଣରେ ପୀଡିତ ।

ସେପଟେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଫୋନ୍ ମାଧ୍ୟମରେ ସିଏମ୍ ଭଗବନ୍ତ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ସିଏମ୍ ମାନ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ଚେକଅପ୍ ଚାଲିଛି । ତାଙ୍କ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇଛି । ରିପୋର୍ଟ ଆସିବା ପରେ ହିଁ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like