ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ହସ୍ପିଟାଲରେ ଭର୍ତ୍ତି; କିଛି ଦିନ ତଳେ ପିଇଥିଲେ ନଦୀର ପ୍ରଦୂଷିତ ପାଣି! ସାମ୍ନାକୁ ଆସିଲା ଭିଡିଓ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପେଟରେ ସଂକ୍ରମଣ ଯୋଗୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ପ୍ରଦୂଷିତ ପାଣି ପିଉଥିବାର ଦେଖାଯାଉଛନ୍ତି। ଏହି ଭିଡିଓରୁ ତାଙ୍କ ଅସୁସ୍ଥତାର କାରଣକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।
ଆମ୍ ଆଦ୍ମୀ ପାର୍ଟି ତରଫରୁ ଏହି ଭିଡିଓ ଟ୍ଵିଟ୍ କରାଯାଇଛି। ଏଥିରେ ଦେଖାଯାଉଛି ଯେ ସିଏମ୍ ଭଗବନ୍ତ ମାନ ନିଜ ସମର୍ଥକମାନଙ୍କ ନାରାବାଜି ଭିତରେ ନଦୀରୁ ଏକ ଗ୍ଲାସ୍ ପାଣି ଆଣି ତାହାକୁ ପିଇବାକୁ ଲାଗୁଛନ୍ତି। ଭିଡିଓଟି ଗତ ରବିବାରର ବୋଲି ଜଣାପଡ଼ିଛି।
ସୂଚନା ରହିଛି କି, ସ୍ଥାନୀୟ କାଲୀ ବେନ୍ ନଦୀ ସଫେଇର ୨୨ତମ ବର୍ଷ ପୂର୍ତ୍ତି ଅବସରରେ ସାମିଲ ହେବା ପାଇଁ ଭଗବନ୍ତ ମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା ଏବଂ ତାଙ୍କୁ ପବିତ୍ର ନଦୀର ଏକ ଗ୍ଲାସ୍ ପାଣି ଭେଟି ଦିଆଯାଇଥିଲା। ସିଏମ୍ ମଧ୍ୟ ବିନା କୌଣସି ଦିକ୍କତରେ ସେହି ପାଣିକୁ ପିଇ ଦେଇଥିଲେ, ଯେଉଁଥିରେ ସ୍ଥାନୀୟ ଅଞ୍ଚଳ ଏବଂ ଗାଁଗୁଡ଼ିକର ମିଇଳା ପାଣି ମିଶୁଛି।
ତେବେ ଘଟଣାର କିଛି ଦିନ ପରେ ସିଏମ୍ଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା। ଆପ୍ର ପଞ୍ଜାବ ପ୍ରଦେଶ ତରଫରୁ ଟ୍ଵିଟ୍ କରାଯାଇଥିବା ଏହି ଭିଡିଓରେ କ୍ୟାପସନ ଲେଖାଯାଇଛି, ସିଏମ୍ ଭଗବନ୍ତ ମାନ ସୁଲତାନପୁର ଲୋଧିରେ ପବିତ୍ର ଜଳ ପିଉଛନ୍ତି। ରାଜ୍ୟସଭା ସାଂସଦ ସନ୍ଥ ସିଚଓ୍ଵାଲ ଜୀ ଏହି ପବିତ୍ର ସ୍ଥାନର ସଫେଇ ଦାୟିତ୍ୱ ନେଇଛନ୍ତି।
ਗੁਰੂ ਨਾਨਕ ਸਾਹਿਬ ਦੀ ਚਰਨ ਛੋਹ ਪ੍ਰਾਪਤ ਧਰਤੀ ਸੁਲਤਾਨਪੁਰ ਲੋਧੀ ਵਿਖੇ ਪਵਿੱਤਰ ਵੇਈਂ ਦਾ ਪਾਣੀ ਪੀਂਦੇ ਹੋਏ CM @BhagwantMann ਜੀ
ਪਵਿੱਤਰ ਵੇਈਂ ਨੂੰ ਸਾਫ਼ ਕਰਨ ਦਾ ਬੀੜਾ ਰਾਜ ਸਭਾ ਮੈਂਬਰ ਸੰਤ ਸੀਚੇਵਾਲ ਜੀ ਨੇ ਚੁੱਕਿਆ ਹੋਇਆ ਹੈ pic.twitter.com/4LnU0U66wQ
— AAP Punjab (@AAPPunjab) July 17, 2022