ପଞ୍ଜାବ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ବଡ଼ ଦଣ୍ଡ, ସଫା କରିବେ ଫାଇଖାନା, ମାଜିବେ ଅଇଣ୍ଠା ବାସନ

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଧାର୍ମିକ ଅପବିତ୍ରୀକରଣ ମାମଲାରେ କଡ଼ା ଦଣ୍ଡ ମିଳିଛି । ଦଣ୍ଡାଦେଶ ଅନୁସାରେ ସୁଖବୀର ବାଦଲଙ୍କୁ ଏକ ଘଣ୍ଟା ପାଇଁ ବାଥରୁମ ସଫା କରିବାକୁ ପଡିବ । ତା’ପରେ ତାଙ୍କୁ ଲଙ୍ଗର ଘରକୁ ଯାଇ ବାସନ ଧୋଇବାକୁ ପଡ଼ିବ। ଏହାପରେ ତାଙ୍କୁ କୀର୍ତ୍ତନ ଶୁଣିବାକୁ ପଡ଼ିବ। ଏଥିସହିତ ଶ୍ରୀ ସୁଖମଣି ସାହିବ ପାଠ କରିବାକୁ ପଡ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପ୍ରକାଶ ସିଂହ ବାଦଲଙ୍କ ଠାରୁ ‘ଫକର-ଏ-କୋମ୍’ ପୁରସ୍କାର ପ୍ରତ୍ୟାହାର କରାଯିବ ।  ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସରକାରରେ ଥିବା ସମୟରେ ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ଦୁଇମାସ ପୂର୍ବେ ସୁଖବୀର ସିଂହ ବାଦଲଙ୍କୁ ଅକାଲ ତଖ୍ତଙ୍କ ଦ୍ୱାରା ‘ତନଖୈୟା’ (ଧାର୍ମିକ ଅପବିତ୍ରୀକରଣରେ ଦୋଷୀ) ଘୋଷିତ କରାଯାଇଥିଲା ।

ସୁଖବୀରଙ୍କୁ ସ୍ୱର୍ଣ୍ଣମନ୍ଦିର ଘଣ୍ଟାଘର ବାହାରେ ଡ୍ୟୁଟି କରିବାକୁ ପଡ଼ିବ । ସେ ଅସୁସ୍ଥ ଥିବା କାରଣରୁ ଏ କାମ ସେ ହ୍ୱିଲ୍ ଚେୟାରରେ ବସି କରିବେ । ସୁଖବୀରଙ୍କ ବ୍ୟତୀତି କୋର୍ କମିଟି ମେମ୍ବର ଏବଂ ୨୦୧୫ରେ କ୍ୟାବିନେଟ ମେମ୍ବର ଥିବା ନେତା ୩ ଡିସେମ୍ବରରେ ଅପରାହ୍ନ ୧୨ଟାରୁ ଗୋଟେ ପର୍ଯ୍ୟନ୍ତ ବାଥରୁମ୍ ସଫା କରିବେ । ଏହାପରେ ଗାଧୋଇ ଲଙ୍ଗର ଘରେ ସେବା କରିବେ ଏବଂ ବାସନ ମାଜିବେ । ସେବା ସମୟରେ ସୁଖବୀରଙ୍କ ଗଳାରେ ତଖ୍ତ ଏବଂ ବର୍ଛା ରହିବ । ତାଙ୍କୁ ମିଳିଥିବା ଦୁଇଦିନିଆ ଦଣ୍ଡରେ ସେ ୨ ଦିନ ଶ୍ରୀ କେଶଗଡ଼ ସାହୀବ, ୨ ଦିନ ଶ୍ରୀ ଦମଦମା ସାହୀବ ତଲବଣ୍ଡି ସାବୋ, ୨ ଦିନ ଶ୍ରୀ ମୁକ୍ତସର ସାହୀବ ଏବଂ ୨ ଦିନ ଶ୍ରୀ ଫରେହଗଡ଼ ସାହୀବରେ ହାତରେ ବର୍ଛା ଧରି ଡ୍ୟୁଟି କରିବେ । ରାମରହିମଙ୍କୁ କ୍ଷମା ଦେବା ଅଭିଯୋଗରେ ସୁଖବୀରଙ୍କୁ ତନଖେୟା ଘୋଷଣା କରାଯାଇଥିଲା ।

ସୂଚନଯୋଗ୍ୟ, ୨୦୦୭ରେ ସାଲାବତପୁରାରେ, ଗୁରୁ ଗୋବିନ୍ଦ ସିଂହଙ୍କ ପରମ୍ପରାକୁ ଅନୁସରଣ କରି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ତାଙ୍କ ପରି ବେଶଭୂଷା ପରିଧାନ କରି ଅମୃତ ଛିଞ୍ଚିବାର ଅଭିନୟ କରିଥିଲେ । ଏ ସମ୍ପର୍କରେ ଗୁରମିତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଗୁରମିତଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ଅକାଳୀ ସରକାର ତାଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରି ନେଇଥିଲେ । ସୁଖବୀର ବାଦଲ ଅକାଳୀ ସରକାର ସମୟରେ ଅକାଲ ତଖ୍ତ ସାହିବଙ୍କ ଆଗରେ ନିଜ ଭୁଲ ସ୍ଵୀକାର କରିଥିଲେ ।