ଧରାପଡିଲା ଏମିତି ଜଣେ ସିରିୟଲ କିଲର ଯିଏ ଜୀବନ ନେବା ପରେ ମୃତଦେହକୁ ମାଗୁଥିଲା କ୍ଷମା
ପଞ୍ଜାବ: ଧରାପଡ଼ିଗଲା ଜଣେ ସିରିୟଲ କିଲର । ତିନି ଜାରି ଜଣ ନୁହେଁ ଦଶ ଦଶ ଜଣଙ୍କୁ ନିଜ ହାତରେ ହତ୍ୟା କରିଛି ଏହି ସିରିୟଲ କିଲର । ଯାହାକୁ ଧରିଛି ପଞ୍ଜାବ ପୋଲିସ୍ । ତାର କାରନାମା ଶୁଣିଲେ ଦେହ ଶିହରି ଉଠିବ । ଗତ ଡିସେମ୍ବର ୨୩ ତାରିଖ ଦିନ ପଞ୍ଜାବ ପୋଲିସ୍ ତାକୁ ଗିରଫ କରିବା ପରେ ୧୦ ଜଣଙ୍କୁ ହତ୍ୟା କରିଥିବା ସେ ସ୍ୱୀକାର କରିଛି । ତେବେ କିପରି ଓ କାହିଁକି ଏସବୁ ହତ୍ୟାକାଣ୍ଡ ? ତା ଉପରୁ ମଧ୍ୟ ଉଠିଛି ରହସ୍ୟର ପରଦା । ପଞ୍ଜାବର ରୂପନଗର ଅଞ୍ଚଳରୁ ଏହି ସିରିୟଲ କିଲର ଧରାପଡ଼ିଛି । ଯିଏ କେବଳ ଯୁବକମାନଙ୍କୁ ହିଁ ମାରୁଥିଲା । ଖୋଜି ଖୋଜି ପ୍ରଥମେ ଯୁବକମାନଙ୍କ ସହ ବନ୍ଧୁତାର ସମ୍ପର୍କ ରଖୁଥିଲା । ତାପରେ ରଖୁଥିଲା ସମଲିଙ୍ଗୀ ସମ୍ପର୍କ । ସମଲିଙ୍ଗୀ ସମ୍ପର୍କ ପରେ ସେ ଯୁବକମାନଙ୍କୁ ପଇସା ମାଗୁଥିଲା । ଆଉ ଯଦି ସେମାନେ ପଇସା ନଦେଲେ ତେବେ ସେମାନଙ୍କୁ ହତ୍ୟା କରୁଥିଲା ।
ଯୋଜନା ଥିଲା ଏକଦମ ଅଦ୍ଭୁତ ଏଇ ହତ୍ୟାକାରୀ ଜଣକ କିଭଳି ଭାବେ ଯୁବକମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିଲା ସେ ସବୁକୁ ପୋଲିସ୍ ଆଗରେ ବୟାନ୍ କରିଛି । ସେ ସହରର ବିଭିନ୍ନ ଜାଗାରେ ଏକ କମଳା ରଙ୍ଗର ପୋଷାକ ପିନ୍ଧି ମହିଳାଙ୍କ ଭଳି ଓଢ଼ଣା ପକାଉଥିଲେ । ଆଉ ଯୁବକମାନଙ୍କୁ ଆକର୍ଷିତ କଲା ଭଳି ପୋଜ୍ ଦେଖାଉଥିଲେ । ଯେଉଁ ଯୁବକ ତା ପାଲରେ ପଡୁଥିଲେ ସେମାନଙ୍କ ସହ ସେ ସମଲିଙ୍ଗୀ ସମ୍ପର୍କ ରଖୁଥିଲା । ଏହାପରେ ସେମାନଙ୍କ ଠାରୁ ଟଙ୍କା ଦାବି କରୁଥିଲା । ଯଦି କେହି ପଇସା ଦେବାକୁ ମନା କରୁଥିଲେ ସେମାନଙ୍କୁ ମାରପିଟ କରୁଥିଲା ଏବଂ ଜୀବନରୁ ମାରି ଦେଉଥିଲା । ତେବେ ଏହି ସିରିୟଲ କିଲରର ହତ୍ୟା କରିବା କୌଶଳ ବି ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ହତ୍ୟା କରିବା ପାଇଁ କୌଣସି ଅସ୍ତ୍ର କିମ୍ବା ମାରଣାସ୍ତ୍ର ବ୍ୟବହାର କରୁନଥିଲା ।
ଆଖପାଖରେ ପଡ଼ିଥିବା ପଥର କିମ୍ବା ଠେଙ୍ଗା ଆଦିରେ ସେ ପ୍ରଥମେ ପିଟି ପିଟି ଆହତ କରି ଦେଉଥିଲା । ପରେ ନିଜେ ଘୋଡ଼ାଇ ହେଉଥିବା କମଳା ରଙ୍ଗର କପଡ଼ାରେ ଯୁବକଙ୍କ ତଣ୍ଟି ଚିପି ହତ୍ୟା କରୁଥିଲା । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟା କରିବା ପରେ ସେ ମୃତ ବ୍ୟକ୍ତିର ପାଦ ଛୁଇଁ ତାକୁ କ୍ଷମା ମଧ୍ୟ ମାଗୁଥିଲା । ପୁଣି ମୃତକ ପିଠିରେ ‘ଧୋକେବାଜ୍’ ବୋଲି ଲେଖି ଦେଉଥିଲା । ଏହି ସିରିୟଲ କିଲର ହେଉଛି ୩୩ ବର୍ଷ ବୟସ୍କ ରାମସରୂପ ଓରଫ ସୋଧି । ହୋସିୟାରପୁର ଜିଲ୍ଲା ଗଡ଼ଶଙ୍କର ଅନ୍ତର୍ଗତ ଚଉରା ଗାଁରେ ତାର ଘର । ରାମସରୂପ ହେଉଛଇ ଜଣେ ପୂର୍ବତନ ସୈନିକ । ସେନାରୁ ଅବସର ପରେ ସୁରକ୍ଷା କର୍ମୀ ଭାବରେ ଏକ କାରଖାନାରେ କାମ କରୁଥିଲା । ସେ ବିବାହିତ ଓ ତାର ତିନିଟି ପିଲା ମଧ୍ୟ ଅଛନ୍ତି । ତେବେ ତାର ଏହି ସମଲିଙ୍ଗୀ ଦୋଷ ପାଇଁ ତାକୁ ଘର ଲୋକେ ବାହାର କରି ଦେଇଥିଲେ । ଦୁଇ ବର୍ଷ ପୂର୍ବରୁ ସେ ଘର ଛାଡ଼ି ଦେଇଥିଲା ।
ଏପର୍ଯ୍ୟନ୍ତ ଏହି ସିରିୟଲ କିଲର ଜଣକ ୧୮ ମାସ ଭିତରେ ୧୧ଟି ଅପରାଧ ଘଟାଇଛି । ତା ଭିତରେ ୧୦ ଜଣଙ୍କ ଜୀବନ ନେଇଥିବା ସ୍ୱୀକାର କରିଛି । ଆଉ ହତ୍ୟା ସବୁ ହୋସିୟାରପୁର, ଫତେଗଡ଼ ସାହିବ, ପଟିଆଲା ଆଦି ଅଞ୍ଚଳରେ ଘଟାଇଛି ଏହି ହତ୍ୟାକାରୀ । ରୂପନଗର ଏଏସପି ଗୁଲନୀତ ସିଂହଙ୍କ ସୂଚନା ହେଉଛି କି ପ୍ରଥମେ ବିଭିନ୍ନ ଜାଗାରେ ଯୁବକମାନଙ୍କ ମୃତଦେହ ମିଳିଲା । ହେଲେ ହତ୍ୟାକାରୀକୁ ଠାବ କରି ପାରିଲୁ ନାହିଁ । ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ସିରିୟଲ କିଲରକୁ କବଜାକୁ ଆଣିଛୁ । ଏବେ ଅଧିକ ତଦନ୍ତ କରାଯାଉଛି । ତେବେ ସାବଧାନ ରୁହନ୍ତୁ ଏଭଳି ମହିଳା ରୂପରେ ଆସୁଥିବା ହତ୍ୟାକାରୀଙ୍କ ଠାରୁ ।