ମହାକୁମ୍ଭରୁ ଫେରୁଥିଲେ, କାର୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ପପୁ ଯାଦବଙ୍କ ଭାଣିଜୀଙ୍କ ସମେତ ୪ ବ୍ୟକ୍ତି

ଉତ୍ତରପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମୃତକ ୪ ଜଣଙ୍କ ମଧ୍ୟରେ ଅଛନ୍ତି ସାଂସଦ ପପୁ ଯାଦବଙ୍କ ଭାଣିଜୀ । ବିହାର ପୂର୍ଣ୍ଣିଆର ସାଂସଦ ପପୁ ଯାଦବ ତାଙ୍କ ଭାଣିଜୀଙ୍କ ମୃତ୍ୟୁରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ମୃତ ଭାଣିଜୀଙ୍କ ନାମ ଡା. ସୋନି ଯାଦବ ।
ମିଳିଥିବା ସୂଚନା ମୁତାବକ, ସୋନି ତାଙ୍କ ପିଉସୀ ଏବଂ ଅନ୍ୟମାନଙ୍କ ସହିତ ମହାକୁମ୍ଭ ସ୍ନାନ ପାଇଁ କାର୍ ଯୋଗେ ଆସିଥିଲେ । କିନ୍ତୁ ଫେରିବା ସମୟରେ ତାଙ୍କ କାର୍ ବାରାଣସୀ-ଗୋରଖପୁର ରାଜପଥରେ ଏକ ଗୋଡ଼ି ବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ସୋନିଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅରାରିଆ ଜିଲ୍ଲାର ଡାକ୍ତର ସୋନି ତାଙ୍କ ପିଉସୀ, ଜଣେ ଆସିଷ୍ଟାଣ୍ଟ, ଜଣେ ପରିଚିତ ବ୍ୟକ୍ତି ଏବଂ ଡ୍ରାଇଭରଙ୍କ ସହିତ ପ୍ରୟାଗରାଜ ମହାକୁମ୍ଭରେ ସ୍ନାନ କରି ବିହାର ଫେରୁଥିଲେ । ଏହି ସମୟରେ ଗାଜିପୁରର ବିରନୋ ଥାନା ନିକଟରେ ତାଙ୍କ କାର୍ ରାଜପଥରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା ।
ଧକ୍କା ଏତେ ଜୋରଦାର୍ ଥିଲା ଯେ କାରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର୍ ହୋଇଯାଇଛି । ଗାଜିପୁର ପୋଲିସର ସୂଚନା ଅନୁଯାୟୀ, ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଗାଜିପୁରର ବିରନୋ ଥାନା ଅନ୍ତର୍ଗତ ବାରାଣସୀ-ଗୋରଖପୁର ରାଜପଥରେ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି । ମୃତକମାନେ ବିହାର ଅରାରିଆ ଜିଲ୍ଲାର ବାସିନ୍ଦା ଥିଲେ ।
ସେପଟେ ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କହି ରଖୁଛୁ, ଡାକ୍ତର ସୋନି ତାଙ୍କ ସ୍ୱାମୀଙ୍କ ସହିତ ପୂର୍ଣ୍ଣିଆରେ ଏକ ନର୍ସିଂହୋମ୍ ଚଳାଉଥିଲେ ।
ଆହୁରି ପଢ଼ନ୍ତୁ: ଗୁଜରାଟର କଚ୍ଛରେ ଭୀଷଣ ଦୁର୍ଘଟଣା, ବସ୍-ଟ୍ରକ୍ ଧକ୍କାରେ ୭ ଜଣଙ୍କ ମୃତ୍ୟୁ