ମୋଦିଙ୍କୁ ନିଜ ଇଲେକ୍ଟ୍ରିକ୍ କାରରେ ବୁଲାଇଲେ ପୁଟିନ୍, ଭାରତର ପ୍ରଗତିକୁ ନେଇ କଲେ ପ୍ରଶଂସା

ପୁଟିନଙ୍କ ଇଲେକ୍ଟ୍ରିକ୍ କାରରେ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଏବଂ ଋଷ ମଧ୍ୟରେ ଥିବା ବନ୍ଧୁତ୍ୱର ସମ୍ପର୍କକୁ ବଢ଼ାଇବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଇଲେକ୍ଟ୍ରିକ୍ କାରରେ ବସାଇ ବୁଲାଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ରାଷ୍ଟ୍ରପତି ପୁଟିନ ଡ୍ରାଇଭର ସିଟରେ ବସିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପାଖରେ ବସିଥିବାର ନଜର ଆସିଛନ୍ତି । ଭିଡିଓରେ ଉଭୟ କାରରେ ବସି କଥା ହୋଇ ପ୍ରକୃତିର ଦୃଶ୍ୟକୁ ଉପଭୋଗ କରୁଥିଲେ । ପୁଟିନ ନିଜ ଇଲେକ୍ଟ୍ରିକ୍ କାରରେ ମୋଦିଙ୍କୁ ବସାଇ ସୁନ୍ଦର ବଗିଚାକୁ ଦେଖାଉଥିଲେ।
ମୋଦି ଏବଂ ପୁଟିନଙ୍କ ଏହି ଭିଡିଓ ଜୋରସୋରରେ ଭାଇରାଲ ହେଉଛି । ମୋଦି ଏବଂ ପୁଟିନଙ୍କ ସହ ଅନ୍ୟମାନେ ମଧ୍ୟ ଏହି ଇଲେକ୍ଟ୍ରିକ୍ କାରରେ ବସିଥିଲେ । ଭାରତର ପ୍ରଗତିକୁ ନେଇ ମୋଦିଙ୍କ ପ୍ରଶଂସା କରିଥିଲେ ପୁୁଟିନ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଥିଲେ ପୁଟିନ । ପୁଟିନ ଓ ମୋଦି ରାସ୍ତାରେ ଚାଲି ଚାଲି ଯାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହି ସମୟରେ ସେ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଦୁଇ ଦିନିଆ ଗସ୍ତରେ ଋଷରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମସ୍କୋରେ ସ୍ୱାଗତ କରାଯାଇଛି ।