ଜର୍ମାନୀ ଉପରେ ଗର୍ଜିଲେ ପୁଟିନ, ଫାସିବାଦ ପୁଣି ରୁଷ ପ୍ରତି ବିପଦ ସୃଷ୍ଟି କରୁଛି

ନୂଆଦିଲ୍ଲୀ : ପୁଟିନଙ୍କୁ ଘାରିଛି ଲିଓପାର୍ଡ ଭୟ । ୟୁକ୍ରେନକୁ ଜର୍ମାନୀର ଲିଓପାର୍ଡ-୨ ପ୍ରତିଶ୍ରୁତି ପରେ, ରୁଷ ରାଷ୍ଟ୍ରପତିଙ୍କ ଆରମ୍ଭ ହୋଇଛି ଗର୍ଜନ । ଫାସିବାଦ ପୁଣି ରୁଷ ପ୍ରତି ବିପଦସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ପୁଣି ଥରେ ଜର୍ମାନୀ ଟ୍ୟାଙ୍କ ଜରିଆରେ ଧମକ ଦିଆଯାଉଥିବା କହିଛନ୍ତି ଭ୍ଲାଦମିର ପୁଟିନ। ରୁଷ ଦ୍ୱାରଦେଶରେ ପହଞ୍ଚିଛି ଟ୍ୟାଙ୍କ ଓ ଫାସିବାଦ। ରେଡ୍‌ ଆର୍ମୀର ଷ୍ଟାଲିନ୍‌ଗାର୍ଡ ଭିକ୍ଟ୍ରିର ୮୦ ତମ ବର୍ଷ ପୂର୍ତ୍ତି ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ପୁଟିନ। ରୁଷ ପାଶ୍ଚାତ୍ୟ ଆକ୍ରମଣର ମୁକାବିଲା କରୁଥିବା ବେଳେ ନାଜିବାଦ ମୁଣ୍ଡ ଟେକିଛି ।

ପୁଣି ଥରେ ଜର୍ମାନ ଟ୍ୟାଙ୍କ ଜରିଆରେ ଧମକ ଦିଆଯାଉଛି। ରୁଷ କିନ୍ତୁ ଜବାବ ଦେବାକୁ ପ୍ରସ୍ତୁତ ବୋଲି ପୁଟିନ ଚେତାବନୀ ଦେଇଛନ୍ତି । ପୁଟିନ କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଋଷିଆକୁ ଜର୍ମାନୀ ଲିଓପାର୍ଡ ଟ୍ୟାଙ୍କ ମାଧ୍ୟମରେ ଧମକାଇବାକୁ ଚାହୁଁଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ଏବେ ୟୁକ୍ରେନ ସମର୍ଥନରେ ବାହାରୁଥିବା ବେଳେ ଜର୍ମାନୀ ମଧ୍ୟ ୟୁକ୍ରେନକୁ ଶକ୍ତିଶାଳୀ ଲିଓପାର୍ଡ ଟ୍ୟାଙ୍କ୍‌ ଦେବ ।

ପୂର୍ବରୁ ୟୁକ୍ରେନ୍‌କୁ ଟ୍ୟାଙ୍କ ସହାୟତା ଘୋଷଣା କରିଛନ୍ତି ଆମେରିକା ଓ ଜର୍ମାନୀ । ୩୧ଟି M1 ଆବ୍ରାମ୍ସ ଟ୍ୟାଙ୍କ ଦେବ ଆମେରିକା। ଜର୍ମାନୀ ଦେବ ୮୮ ଲିଓପାର୍ଡ-୨ ଟ୍ୟାଙ୍କ । ୟୁକ୍ରେନକୁ ଲିଓପାର୍ଡ -୨ ଟ୍ୟାଙ୍କ ପଠାଇବା ପୂର୍ବରୁ ଟେଷ୍ଟ ରାଇଡ୍‌ କରିଛନ୍ତି ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ । ତେବେ ଦୁଇ ଦେଶର ଟ୍ୟାଙ୍କକୁ ଦାନ୍ତହୀନ ବାଘ ବୋଲି କହିଆସୁଛି କ୍ରେମଲିନ । ଆମେରିକା ଓ ୟୁରୋପକୁ ଚେତାବନୀ ବି ଶୁଣାଇଛି। ଟ୍ୟାଙ୍କ ଦେବା ଅର୍ଥ ସିଧାସଳଖ ଯୁଦ୍ଧରେ ସାମିଲ ହେବା । ଏପଟେ ବଢ଼ୁଛି ୟୁକ୍ରେନର କ୍ଷତ । ପୁଣି ଆକ୍ରମଣକୁ ଜୋରଦାର କରିଛି ରୁଷ । ଗତ ୨୪ ଘଣ୍ଟାରେ ୯ ଅଞ୍ଚଳରେ ମିସାଇଲ ମାଡ଼ ।

ଉତ୍ତର, ପୂର୍ବ ଓ ଦକ୍ଷିଣ ୟୁକ୍ରେନରେ ଘନ ଘନ ଆକ୍ରମଣ । ଡୋନେସ୍କ, ଖେରସନ, ଖାରକିଭ, ସୁମି, ମାଇକୋଲେଭ, ଚେର୍ଣ୍ଣିହିବ, ଜାପୋରଝିଆ, ନିପ୍ରୋ ଓ ଲୁହାନ୍‌ସ୍କରେ ହମଲା କରିଛି ରୁଷ ସେନା। ୬ ଜଣଙ୍କ ମୃତ୍ୟୁ ହୋଇଛି । ୧୯ରୁ ଅଧିକ ଆହତ ହୋଇଛନ୍ତି । ଅନେକ ସାଧାରଣ ଭିତ୍ତିଭୂମି ଧ୍ୱଂସ ହୋଇଛି। ଛାରଖାର ହୋଇ ଯାଇଛି କ୍ରାମଟର୍ସ୍କ ଓ ବଖମୁତ ସହର । ଯୁଆଡ଼େ ଚାହିଁଲେ ପୋଡ଼ାଜଳା ଓ ଧ୍ୱଂସର ଚିତ୍ର। ଭୁଶୁଡ଼ି ପଡ଼ିଛି ବିଲ୍‌ଡିଂ। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଚାଲିଛି ।

ରୁଷ ସେନାକୁ କଡା ଜବାବ ଦେଇଛି କିଭ ବାହିନୀ। ଗୋଟିଏ ଦିନରେ ରୁଷର ୮୪୦ ସୈନ୍ୟ ପ୍ରାଣ ହରାଇଛନ୍ତି । କିଛି ଜନବସତିରୁ ରୁଷ ସେନାକୁ ପଛକୁ ଘୁଞ୍ଚାଇ ଦେଇଛି ୟୁକ୍ରେନ ସେନା। ଏ ପର୍ଯ୍ୟନ୍ତ ରୁଷର ୨ ଲକ୍ଷ ସୈନ୍ୟ ମୃତାହତ ହୋଇଥିବା ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି । ଆଗକୁ ରୁଷ୍ର ବଡ଼ ହମଲାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ୟୁକ୍ରେନ। ଠୁଳ କରୁଛି ଅସ୍ତ୍ରଶସ୍ତ୍ର । ଆମେରିକା, ଜର୍ମାନୀ ଓ ବ୍ରିଟେନକୁ ଫାଇଟର ଜେଟ୍‌ ଦେବାକୁ ପୁଣି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.