ଲଢ଼ି ଲଢ଼ି ଥକି ପଡ଼ିଲେଣି ସୈନ୍ୟ… ପୁଟିନ୍‌ ଆରମ୍ଭ କରି ଦେଲେ ସେନାରେ ବାଧ୍ୟତାମୂଳକ ଭର୍ତ୍ତି! ଜାଣନ୍ତୁ କ’ଣ ରହିଛି ସର୍ତ୍ତ ଓ ନିୟମ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ୧୬ ଦିନରେ ପହଞ୍ଚିଛି। ୟୁକ୍ରେନ ସେନା ବି ରୁଷ ଆକ୍ରମଣର ଦୃଢ଼ ଜବାବ ଦେଉଛନ୍ତି। ତେବେ ଏହା ଭିତରେ ରୁଷର ପାଖାପାଖି ଅଢ଼େଇ ଲକ୍ଷ ସୈନ୍ୟ ଲଢ଼ି ଲଢ଼ି ଥକି ପଡ଼ିଛନ୍ତି ଏବଂ ସେମାନଙ୍କ ଆକ୍ରମଣ ଗତି ଧିମା ହୋଇ ଯାଇଛି। ଏହାକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ବହୁତ ଚିନ୍ତିତ ଅଛନ୍ତି ଏବଂ ସେ ବାଧ୍ୟତାମୂଳକ ଭାବରେ ସେନା ଭର୍ତ୍ତି ଖୋଲି ଦେଇଛନ୍ତି, ଯାହା ଅଧୀନରେ ୟୁକ୍ରେନ ସହ ଲଢ଼ିବା ପାଇଁ ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯିବ। ସେନାରେ ବାଧ୍ୟତାମୂଳକ ଭର୍ତ୍ତି ପାଇଁ ନିୟମଗୁଡ଼ିକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି।

ଏକ ରିପୋର୍ଟ ମୁତାବକ, ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ଭିତରେ ଏବେ ରୁଷରେ ୧୮ରୁ ୨୭ ବର୍ଷ ଯୁବକଙ୍କୁ ବାଧ୍ୟତାମୂଳକ ଭାବରେ ସେନାରେ ସାମିଲ ହେବାକୁ ପଡ଼ିବ। ସେମାନଙ୍କୁ ଅତି କମ୍‌ରେ ଦୁଇ ବର୍ଷର ସେବା ଯୋଗାଇବାକୁ ହେବ। ନିଯୁକ୍ତିରେ ସାମିଲ ନ ହେବା ଯୁବକଙ୍କୁ ୨ରୁ ୪ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଦିଆଯିବ। ପ୍ରଥମେ ରୁଷ ସେନା ତରଫରୁ ଯୋଗ୍ୟ ଯୁବକମାନଙ୍କୁ ପତ୍ର ପଠାଯିବ। ଯଦି ୨ ସପ୍ତାହ ଭିତରେ ସେମାନେ ନ ଆସନ୍ତି, ତା’ ହେଲେ ସେମାନଙ୍କୁ ଜେଲ୍‌ରେ ଭର୍ତ୍ତି କରାଯିବ। ଏପ୍ରିଲ ୧ ସୁଦ୍ଧା ଏକ ଲକ୍ଷ ଭର୍ତ୍ତି ହେବ।

ସେପଟେ ଯୁଦ୍ଧ ସମୟରେ ୟୁକ୍ରେନ ଏମିତି ଅନେକ ରୁଷୀୟଙ୍କୁ ଧରିଛି, ଯେଉଁମାନେ ରୁଷ ସେନାର ନିୟମିତ ଫୌଜି ନୁହଁନ୍ତି। ଧରା ପଡ଼ିଥିବା ଏମିତି ଲୋକଙ୍କ ଭିଡିଓ ୟୁକ୍ରେନ ସେନା ଭାଇରାଲ କରିଛି। ତେବେ ଯୁଦ୍ଧ ପ୍ରାରମ୍ଭରେ ରୁଷୀୟ ସେନା ବାଧ୍ୟତାମୂଳକ ସେନା ସେବା ପାଇଁ ଲୋକଙ୍କୁ ଯୁଦ୍ଧରେ ସାମିଲ କରିବ ନାହିଁ ବୋଲି ଘୋଷଣା କରିଥିଲା। କିନ୍ତୁ ରୁଷ ଏବେ ଏହାକୁ ସ୍ୱୀକାର କରିଛି।