ଆବଶ୍ୟକ ହେଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ରୁଷ ପଛାଇବ ନାହିଁ : ପୁଟିନ୍

ନୂଆଦିଲ୍ଲୀ : ପୁଟିନ୍‌ଙ୍କ ପରମାଣୁ ଧମକକୁ ଜାତିସଂଘ ନିନ୍ଦା କରିଛି । ପରମାଣୁ ଧମକ ଆଦୌ ଗ୍ରହଣୀୟ ନୁହେଁ ବୋଲି ମସ୍କୋକୁ ଶୁଣାଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ । ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧିତ କରି ରୁଷ୍ ଉପରେ ବର୍ଷିଛନ୍ତି ଗୁଟେରସ୍ । କହିଛନ୍ତି ପରମାଣୁ ଧମକ ଜାତିସଂଘ ଘୋଷଣାପତ୍ରର ଉଲଂଘନ । ୟୁକ୍ରେନ୍ର କିଛି ଅଞ୍ଚଳକୁ ରୁଷ୍ ସହ ମିଶାଇଦେବାର ଯୋଜନାକୁ ମଧ୍ୟ ନିନ୍ଦା କରିଛନ୍ତି ଜାତିସଂଘ ମୁଖ୍ୟ। ଏହାକୁ ଅନ୍ତର୍ଜାତୀୟ ଆଇନ୍ର ଉଲଂଘନ ବୋଲି କହିଛନ୍ତି ।

ଦୁଇ ଦିନ ତଳେ ପାଶ୍ଚାତ୍ୟ ବିଶ୍ୱକୁ ଧମକ ଦେଇଥିଲେ ପୁଟିନ୍ । ଆବଶ୍ୟକ ହେଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ରୁଷ ପଛାଇବ ନାହିଁ ବୋଲି ଚେତାବନୀ ଶୁଣାଇଥିଲେ ପୁଟିନ୍ । ଜାତିସଂଘ ଓ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧ ଭିତରେ ରୁଷ୍ ଅଧିକୃତ ୟୁକ୍ରେନ୍ରେ ଚାଲିଛି ଭୋଟିଂ । ରୁଷ୍ ସହ ସାମିଲ ହେବେ ବି ନାହିଁ ମତ ରଖୁଛନ୍ତି ଲୋକ । ଖେରସନ୍, ଜାପୋରଝିଆ, ଲୁହାନ୍ସ୍କ ଓ ଡୋନେସ୍କରେ ଘରକୁ ଘର ବୁଲୁଛି ଭୋଟ ବାକ୍ସ । ରୁଷ୍ର ସୈନିକମାନେ ଲୋକଙ୍କ ଘରେ ପହଞ୍ଚି ବାଲାଟ୍ ସଂଗ୍ରହ କରୁଛନ୍ତି ।

ଜାପୋରଝିଆରେ ୟୁକ୍ରେନ୍ର ସୈନ୍ୟମାନେ ମଧ୍ୟ ଭୋଟ ଦେଉଥିବା ଦେଖିବାକୁ ମିଳିଛି। ମେଲିଟୋପୋଲ ଅଞ୍ଚଳରେ ଭଲ୍ୟୁଣ୍ଟର ବାଟାଲିଅନ୍ର ସୈନ୍ୟ ମାନେ ରୁଷ୍ ସହ ମିଶିବାକୁ ମତ ଦେଉଛନ୍ତି । ଆତ୍ମଘୋଷିତ ମତଦାନ ଚାଲିଥିବା ବେଳେ ରୁଷ୍ ଅଧିକୃତ ୟୁକ୍ରେନ୍ ନାଗରିକଙ୍କୁ ମନ୍ତ୍ର ଦେଇଛନ୍ତି ଜେଲେନ୍ସ୍କି। ପ୍ରଥମେ ଜୀବନ ରକ୍ଷା କର । ଆଉ ପରେ ଶତ୍ରୁକୁ ଦୁର୍ବଳ ଏବଂ ଧ୍ୱଂସ କରିବାକୁ ଆମକୁ ସହାୟତା କର । ଯେ କୌଣସି ଉପାୟରେ ରୁଷ୍ ସେନାରେ ସାମିଲ ହେବାରୁ ଦୂରେଇ ରୁହ। ଯଦି ସେନାରେ ସାମିଲ ହେବାକୁ ପଡ଼ୁଛି, ତେବେ ରୁଷ୍ ସେନାର ଅପରେସନ୍କୁ ଅଟକାଇବା ଏବଂ ବିଫଳ କରିବାକୁ ଉଦ୍ୟମ କର ।

ରୁଷ୍ ସେନାରେ ରହି ୟୁକ୍ରେନ୍ ପାଇଁ କାମ କରିବାକୁ କହିଛନ୍ତି ଜେଲେନ୍ସ୍କି । ସେପଟେ ରୁଷ୍ରେ ପଳାୟନ ଜାରି ରହିଛି । ସେନାରେ ସାମିଲ ହେବା ଭୟରେ ଦେଶ ଛାଡ଼ି ପଳାଉଛନ୍ତି ରୁଷ୍ ନାଗରିକ । ଆଜି ସକାଳେ ରୁଷିଆ-ଜର୍ଜିଆ ସୀମାରେ ୧୪ କିଲୋମିଟର ଦୈର୍ଘ୍ୟର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ରୁଷ୍ ସୀମା ଅତିକ୍ରମ କରିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ ଶହଶହ କାର୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.