କ୍ୱାଡ୍‌ ସମ୍ମିଳନୀ: ରାତି ୧୧ଟା ୩୦ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଆଜି ରହିଛି କ୍ୱାଡ୍‌ ସମ୍ମିଳନୀ । ରାତି ୧୧ଟା ୩୦ରେ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୋଗା ଉପସ୍ଥିତ ରହିବେ। ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତକୁ ନେଇ ଗଠିତ କ୍ୱାଡ୍‌ ଦେଶ ସମୂହର ବୈଠକ ଉପରେ ବିଶ୍ୱର ବିଭିନ୍ନ ଦେଶର ନଜର ରହିଛି। ବିଶେଷ କରି ଇଣ୍ଡୋ-ପାସିଫିକ୍‌ ଅଂଚଳରେ ଚୀନ୍‌ର ପତିଆରାକୁ ହ୍ରାସ କରିବାରେ କ୍ୱାଡ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ବୈଠକରେ ଚୀନର ବିସ୍ତାରବାଦ ନୀତିକୁ କାଉଣ୍ଟର କରିବା ନେଇ ଆଲୋଚନା ହୋଇପାରେ। ଏହାସହ ଆଫଗାନିସ୍ତାନ, ଜଳବାୟୁ ପରିବର୍ତ୍ତନ ଏବଂ ଅକସ ପ୍ରସଙ୍ଗ ଉପରେ ୪ ନେତା ଆଲୋଚନା କରି ପାରନ୍ତି। ଦୁଇ କ୍ୱାଡ୍‌ ଦେଶ ସଦସ୍ୟ ଆମେରିକା ଓ ଅଷ୍ଟ୍ରେଲିଆ ପ୍ରଶାନ୍ତମହାସାଗର ଅଂଚଳରେ ଚୀନର ପ୍ରଭାବ ହ୍ରାସ କରିବାକୁ ନେଇ ୟୁକେ ସହ ମିଶି ଅକସ ଗଠନ କରିଛନ୍ତି। କିନ୍ତୁ ଏହି ମେଣ୍ଟରୁ ଜାପାନା ଓ ଭାରତକୁ ଦୂରେଇ ରଖାଯାଇଛି।

କ୍ୱାଡ୍‌ ବୈଠକ ପୂର୍ବରୁ କ୍ୱାଡ୍‌ ସଦସ୍ୟ ଥିବା ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ବଦ୍ଧ ଓ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା। ଡିଜିଟାଲ ଅର୍ଥବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଆସନ୍ତାକାଲି ରାତି ୭ଟା ୩୦ରେ ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧିତ କରିବେ ମୋଦି।