NEET PG ପରୀକ୍ଷା ଉପରେ ନଜର ରଖିବ ଗୃହ ମନ୍ତ୍ରଣାଳୟ, ପରୀକ୍ଷାର ଠିକ୍‌ ୨ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର

ନିଟ୍‌ ପିଜି (NEET PG) ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପ୍‌ଡେଟ୍‌ । ପରୀକ୍ଷାର ଠିକ୍‌ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ଗୃହ ମନ୍ତ୍ରଣାଳୟ ପରୀକ୍ଷା ଉପରେ ନଜର ରଖିଛି । ଏହି ପରୀକ୍ଷା ପାଇଁ ଗୃହ ମନ୍ତ୍ରଣାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷା ତାରିଖ ଘୋଷଣା ପୂର୍ବରୁ ଏହି ବୈଠକ ବସିଛି ।

ଏଥିରେ ଯୋଗ ଦେଇଥିବା ଜାତୀୟ ପରୀକ୍ଷା ବୋର୍ଡ (ଏନ୍‌ବିଇଏମ୍‌ଏସ୍‌)ର ଉପାଧ୍ୟକ୍ଷ ପ୍ରଫେସର ମିନୁ ବାଜପେୟୀ କହିଛନ୍ତି ଯେ ନିଟ୍‌ ପିଜି ପରୀକ୍ଷାର ଠିକ୍‌ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ।

ସେ କହିଛନ୍ତି, ମୁଁ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସନା ଦେବାକୁ ଚାହୁଁଛି ଯେ ପରୀକ୍ଷାରେ ଲିକ୍‌ ହେବାର କୌଣସି ବି ସୁଯୋଗ ରହିବ ନାହିଁ । କେଉଁଠି କୌଣସି ପ୍ରକାର ଲୁପ୍ ହୋଲ୍ସ କିମ୍ବା ତ୍ରୁଟି ପାଇଁ ସୁଯୋଗ ଅଛି କି ନାହିଁ, ତାହା ସରକାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ଯାଞ୍ଚ କରୁଛନ୍ତି । ବୈଠକରେ ସାଇବର ସେଲ୍‌ର ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ ।

କହି ରଖୁଛୁ, ନିଟ୍‌ ପିଜି (NEET PG) ପରୀକ୍ଷା ୨୦୨୪ ଜୁନ୍ ୨୫ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବିବାଦ ହେତୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ ରଖିବା ସହିତ ନୂତନ ତାରିଖ ଜଲ୍‌ଦି ଜାରି କରିବା କଥା କହିଥିଲା ।