ଚୀନରେ HMPV ତ ଆମେରିକାରେ ବ୍ୟାପୁଛି ‘ଠେକୁଆ ଜ୍ୱର’, ଜାଣନ୍ତୁ କିପରି ବ୍ୟାପେ ଏହି ସଂକ୍ରମଣ
କୋଭିଡ୍-୧୯ର ୫ ବର୍ଷ ପରେ ଚୀନରେ ଆଉ ଏକ ନୂଆ ଭାଇରସ୍ ଲୋକଙ୍କ ନିଦ ହଜାଇ ଦେଲାଣି । ୫ ବର୍ଷ ତଳେ ଚୀନରୁ ଉତ୍ପନ୍ନ କରୋନା ଭାଇରସ୍ ସାରା ବିଶ୍ୱରେ ଧ୍ୱଂସର ତାଣ୍ଡବ ରଚିଥିଲା । ଆଉ ଏବେ ଏହି ଦେଶରେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (HMPV) ଦ୍ରୁତ ଗତିରେ ବ୍ୟାପୁଛି । ଏହି ଭାଇରସ୍ ବର୍ତ୍ତମାନ ଭାରତରେ ବି ପହଞ୍ଚି ସାରିଛି । ଦୁଇଟି ଭାଇରସର ସମାନ କଥା ହେଉଛି, ଉଭୟରେ ଜ୍ୱର, ଥଣ୍ଡା ଓ ସର୍ଦ୍ଦିର ଲକ୍ଷଣ ଦେଖାଯାଏ ।
ସେପଟେ ଆମେରିକାରେ ‘ଟୁଲାରେମିଆ’ ମାମଲା ଅର୍ଥାତ୍ ‘ରାବିଟ୍ ଫିଭର୍’ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।
ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ନିକଟରେ ଏକ ରିପୋର୍ଟ ଉପସ୍ଥାପନ କରିଛି । ଏଥିରେ ଦର୍ଶାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ଆମେରିକାରେ ରାବିଟ୍ ଫିଭର୍ (ଟୁଲାରେମିଆ) ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି । ରାବିଟ୍ ଜ୍ୱର ହେଉଛି ଏକ ସଂକ୍ରାମକ ରୋଗ, ଯାହା ଫ୍ରାନ୍ସିସେଲା ଟୁଲାରେନସିସ୍ ଜୀବାଣୁ ଦ୍ୱାରା ସୃଷ୍ଟି ହୋଇଥାଏ ।
ଏହି ରୋଗ ମଣିଷ ଶରୀରରେ ବିଭିନ୍ନ ଉପାୟରେ ବ୍ୟାପିଥାଏ । ଏହା ମାଛି ଏବଂ ସଂକ୍ରମିତ ପ୍ରାଣୀ ଯେପରି ଠେକୁଆ ଓ ମୂଷାଙ୍କ ଚର୍ମ ସଂସ୍ପର୍ଶରେ ବିସ୍ତାର ହୁଏ । କେବଳ ଏତିକି ନୁହେଁ, ବେଳେବେଳେ ସଂକ୍ରମିତ ପଶୁମାନଙ୍କ ବସା ଉପରେ ମଧ୍ୟ ଜୀବାଣୁ ଥାଏ, ଯାହା ଘାସ ଉପରକୁ ଚାଲିଯାଏ । ଏହି କାରଣରୁ ଅଜାଣତରେ ଘାସ କାଟୁଥିବା ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇପାରନ୍ତି ।
ଏହି ସଂକ୍ରମଣ ପ୍ରଥମେ ୨୦୦୦ରେ ମେସାଚୁସେଟ୍ସର ୱାଇନୟାର୍ଡରେ ଦେଖାଯାଇଥିଲା । ଏଠାରେ ଟୁଲାରେମିଆର ପ୍ରକୋପ ୬ ମାସ ପର୍ଯ୍ୟନ୍ତ ରହିଥିଲା । ଏହି ସମୟ ମଧ୍ୟରେ ୧୫ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ସିଡିସିର ରିପୋର୍ଟ ଅନୁଯାୟୀ, ରାବିଟ୍ ଜ୍ୱରରେ ମୃତ୍ୟୁ ହାର ଦୁଇ ପ୍ରତିଶତରୁ କମ୍ । ତେବେ ୨୦୧୧ରୁ ୨୦୨୨ ମଧ୍ୟରେ ଆମେରିକାର ୪୭ଟି ରାଜ୍ୟରେ ୨,୪୬୨ଟି ମାମଲା ପଞ୍ଜିକୃତ ହୋଇଥିଲା ।