ଫ୍ରାନ୍ସ : ମଝି ଆକାଶରେ ପରସ୍ପର ସହିତ ଧକ୍କା ହେଲା ରାଫେଲ, ୨ ପାଇଲଟ ମୃତ

ଫ୍ରାନ୍ସର ପୂର୍ବୋତ୍ତର ଅଞ୍ଚଳରେ ବାୟୁସେନାର ଦୁଇଟି ରାଫେଲ ବିମାନ ପରସ୍ପର ସହିତ ଧକ୍କା ହୋଇଛି । ଏହି ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁହୋଇଛି । ଫ୍ରାନ୍ସ ବାୟୁସେନା ଅନୁସାରେ ରାଫେଲ ଫାଇଟର ଜେଟ୍ ୧୨.୩୦ରେ ମଝି ଆକାଶରେ ଧକ୍କା ହୋଇଥିଲା । ଧକ୍କା ଖାଇବା ପରେ ଦୁଇଟି ଯାକ ବିମାନ ତଳେ ଖସି ପଡିଥିଲା । ବିମାନଟି ଦୁଇଟି ଜର୍ମାନୀରେ ଇନ୍ଧନ ଭରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଗୋଟିଏ ବିମାନରେ ଦୁଇ ଜଣ ପାଇଲଟ ଏବଂ ଅନ୍ୟରେ ଗୋଟିଏ ପାଇଲଟ ଥିଲେ । ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଫ୍ରାନ୍ସର ରକ୍ଷାମନ୍ତ୍ରୀ ସେବେଷ୍ଟିଆନ ଲେକୁର୍ନ ନିଜ ଇନଷ୍ଟା ଆକାଉଣ୍ଟରେ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଫ୍ରାନ୍ସର ପୂର୍ବୋତ୍ତର ଅଞ୍ଚଳରେ ମ୍ୟୁରଥ ଏଟ ମୋସେଲରେ ଅପରାହ୍ନ ୧୨.୩୦ରେ ଦୁଇଟି ରାଫେଲ ଫାଇଟର ବିମାନ ମଝି ଆକାଶରେ ଧକ୍କା ହୋଇଥିଲା । ଦୁଇଟି ଯାକ ବିମାନ ପରସ୍ପର ସହିତ ଧକ୍କା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଏହି ଘଟଣାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋନ କହିଛନ୍ତି, ଏହି ଖବର ଶୁଣି ମୁଁ ଦୁଃଖିତ । ରାଫେଲ ବିମାନ ଟ୍ରେନିଂ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୦୭ ଡସେମ୍ବରରେ ଏକ ରାଫେଲ ଜେଟ ନ୍ୟୁବିକ ସହର ନିକଟରେ ଦୁର୍ଘଟଣା ହୋଇଥିଲା । ଏହା ରାଫେଲ ବିମାନର ପ୍ରଥମ ଦୁର୍ଘଟଣା ଥିଲା । ଏହାପରେ ୨୦୦୯ ସେପ୍ଟେମ୍ବରରେ ଦୁଇଟି ରାଫେଲ ବିମାନ ଉଡାଣ ପରୀକ୍ଷଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ରାଫେଲର ବ୍ୟବହାର ଫ୍ରାନ୍ସ ବ୍ୟତୀତ ଭାରତ, ଗ୍ରୀସ, ଇଣ୍ଡୋନେସିଆ, କ୍ରୋଏସିଆ, କତର ଏବଂ ୟୁଏଇ କରୁଛି ।