ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି, ବେଙ୍ଗାଲୁରୁର ସ୍ୱତନ୍ତ୍ର କୋର୍ଟ ଦେଲେ ଜାମିନ୍

ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବେଙ୍ଗାଲୁରୁର ସ୍ୱତନ୍ତ୍ର କୋର୍ଟରୁ ଜାମିନ ପାଇଛନ୍ତି । ଏହି ମାମଲା ଗତ ବିଧାନସଭା ନିର୍ବାଚନ ସହ ଜଡ଼ିତ । ସେତେବେଳେ ରାହୁଲ ଗାନ୍ଧି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ ସରକାରଙ୍କ ଉପରେ କମିଶନ ନେଉଥିବାର ଅଭିଯୋଗ ଲଗାଇଥିଲେ । ଏହାପରେ ବିଜେପି ରାହୁଲଙ୍କ ବିରୋଧରେ ମାମଲା ଦାୟର କରିଥିଲା ।
ଏହି ମାମଲାରେ ବିଜେପି ଓକିଲ କହିଛନ୍ତି ଯେ ୨୦୨୩ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଏକ ବିଜ୍ଞାପନ ପ୍ରକାଶ କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ବିଜେପି ଏକ ସମସ୍ୟା ସୃଷ୍ଟିକାରୀ ସରକାର, ଯାହାକି ଏକ ଭୁଲ୍ ଅଭିଯୋଗ । ଆମେ ଏ ନେଇ କୋର୍ଟଙ୍କ ନିକଟକୁ ଯାଇଥିଲୁ । ପୂର୍ବରୁ ଦୁଇ ଜଣଙ୍କୁ ଜାମିନ ମିଳିଥିବା ବେଳେ ରାହୁଲ ଗାନ୍ଧି ବ୍ୟକ୍ତିଗତ ରୂପେ ମୁକ୍ତି ମାଗିଥିଲେ ।
କହି ରଖୁଛୁ, ଏହି ମାମଲାରେ କଂଗ୍ରେସ ନେତା ତଥା ଡେପୁଟି ସିଏମ୍ ଡି.କେ. ଶିବକୁମାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଥିଲେ ।
କଂଗ୍ରେସ ଖବରକାଗଜରେ ମିଥ୍ୟା ବିଜ୍ଞାପନ ପ୍ରକାଶିତ କରିଥିବାର କର୍ଣ୍ଣାଟକ ବିଜେପି ଅଭିଯୋଗ ଆଣିଥିଲା । ଉକ୍ତ ବିଜ୍ଞାପନରେ ୨୦୧୯-୨୦୨୩ ଶାସନ କାଳରେ ରାଜ୍ୟର ତତ୍କାଳୀନ ବିଜେପି ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବାର ଅଭିଯୋଗ ଲଗାଯାଇଥିଲା ।
ବିଜେପି ନିଜ ଅଭିଯୋଗରେ କହିଥିଲା ଯେ ସମସ୍ତ ସାର୍ବଜନୀନ କାର୍ଯ୍ୟରେ ୪୦ ପ୍ରତିଶତ କମିଶନ ନେବାର ଅଭିଯୋଗ ଲଗାଇ କଂଗ୍ରେସ ପୂର୍ବ ସରକାରଙ୍କ ବିରୋଧରେ ‘ଦୁର୍ନୀତି ରେଟ୍ କାର୍ଡ’ ମଧ୍ୟ ପ୍ରକାଶ କରିଥିଲା । ଅଭିଯୋଗ ମୁତାବକ, ରାହୁଲ ଗାନ୍ଧି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଆକାଉଣ୍ଟରେ ଏହି ଅପମାନଜନକ ବିଜ୍ଞାପନ ପୋଷ୍ଟ କରିଥିଲେ ।