ରାହୁଲଙ୍କ ନିମନ୍ତ୍ରଣ କରିପାରେ ଆରଏସଏସ

ନୂଆଦିଲ୍ଲୀ : ଆସନ୍ତା ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ତିନି ଦିନିଆ ଆଲୋଚନାଚକ୍ର । ଏଥିରେ ଯୋଗ ଦେବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆମନ୍ତ୍ରଣ କରିପାରେ ଆର୍ଏସ୍ଏସ୍ । ସେହିପରି ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ବି ଡାକିପାରେ ସଂଘ । ଏଯାଏଁ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ।
ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ବିଜ୍ଞାନ ଭବନରେ ଆର୍ଏସ୍ଏସ୍ର ଏହି କାର୍ଯ୍ୟକ୍ରମ ଚାଲିବ । ଏହାର ଶୀର୍ଷକ ରହିଛି ‘ଭାରତର ଭବିଷ୍ୟତ’ । ଏଠାରେ ଭବିଷ୍ୟତ ଭାରତର ପରିକଳ୍ପନା ଓ ସଂଘର ବିଚାରଧାରା ସମ୍ପର୍କରେ ଆଲୋଚନା କରିବେ ଆର୍ଏସ୍ଏସ୍ ସରସଂଘ ଚାଳକ ମୋହନ ଭାବଗତ । ସାମ୍ପ୍ରତିକ ସ୍ଥିତିରେ ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।
ନିଶ୍ଚିତ ପଢ଼ନ୍ତୁ: କାହିଁକି ହେଲା ପରାଜୟ? ଲଣ୍ଡନରେ ମତ ରଖିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି
ଆର୍ଏସ୍ଏସ୍ ପ୍ରଚାରକ ଅରୁଣ କୁମାର କହିଛନ୍ତି, ଆଲୋଚନାଚକ୍ରକୁ ସମାଜର ବିଭିନ୍ନ ବର୍ଗରୁ ଲୋକଙ୍କୁ ଆମନ୍ତ୍ରଣ କରାଯିବ । ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ, ବିଭିନ୍ନ ଧର୍ମ ଓ ଆଦର୍ଶରେ ଅନୁପ୍ରାଣିତ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ବି ଆମନ୍ତ୍ରଣ କରାଯିବ ବୋଲି ସଂଘ କହିଛି । ଚଳିତ ବର୍ଷ ଜୁନ ମାସରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନାଗପୁରସ୍ଥିତ ଆର୍ଏସ୍ଏସ୍ର ମୁଖ୍ୟକାର୍ଯ୍ୟାଳୟ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ତାଙ୍କୁ ବହୁ ସମାଲୋଚନା ଶୀକାର ହେବାକୁ ପଡ଼ିଥିଲା ।
ଶାସକ ବିଜେପିର ଆଦର୍ଶଗତ ଗୁରୁ ଆର୍ଏସ୍ଏସକୁ ନିକଟରେ ରାହୁଲ ଗାନ୍ଧୀ ବିଦେଶରେ ସମାଲୋଚନା କରିଥିଲେ । ଦେଶର ସ୍ୱଭାବ ଓ ସମସ୍ତ ଅନୁଷ୍ଠାନକୁ ଆର୍ଏସ୍ଏସ୍ ବଦଳାଇବାକୁ ଉଦ୍ୟମ ଚଳାଇଛି ବୋଲି ରାହୁଲ କହିଥିଲେ। ଏହାକୁ ପ୍ରତିବାଦ କରି ଆର୍ଏସ୍ଏସ କହିଥିଲ ଯେ, ରାହୁଲ ଆର୍ଏସ୍ଏସ୍କୁ ଭଲ ଭାବରେ ବୁଝି ନାହାନ୍ତି କି ଦେଶକୁ ମଧ୍ୟ ଜାଣିପାରିନାହାନ୍ତି। ତେବେ ଏଭଳି ଏକ ସ୍ଥିତିରେ ଆର୍ଏସ୍ଏସ୍ ରାହୁଲଙ୍କୁ ନିମନ୍ତ୍ରଣ କରିବା ନେଇ ଚର୍ଚ୍ଚା ବେଶ୍ ଗୁରୁତ୍ୱ ବହନ କରୁଛି ।