‘ମାନହାନି ମାମଲାରେ ଏତେ ବଡ଼ ଦଣ୍ଡ ମିଳିବ ବୋଲି କେବେ ଭାବି ନ ଥିଲି…’ ଆମେରିକାରେ ଏପରି କହିଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ କହିଛନ୍ତି, ‘ମୁଁ କେବେ ଭାବି ନ ଥିଲି ଯେ ମାନହାନି ମାମଲାରେ ମୋତେ ସର୍ବାଧିକ ଦଣ୍ଡ ମିଳିବ ଏବଂ ସାଂସଦ ଭାବରେ ଅଯୋଗ୍ୟ ଘୋଷିତ କରାଯିବ’।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଆମେରିକାରେ ପୁଣିଥରେ ବିଜେପି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ମୁଁ କେବେ ଭାବି ନ ଥିଲି ଯେ ମାନହାନି ମାମଲାରେ ମୋତେ ସର୍ବାଧିକ ଦଣ୍ଡ ମିଳିବ ଏବଂ ସାଂସଦ ଭାବରେ ଅଯୋଗ୍ୟ ଘୋଷିତ କରାଯିବ’।

କାଲିଫର୍ଣ୍ଣିଆର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ୟୁନିଭର୍ସିଟି କ୍ୟାମ୍ପସରେ ଏକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ‘ମୋର ସଂସଦ ସଦସ୍ୟତା ଯାଇଛି, କିନ୍ତୁ ଏହାଦ୍ୱାରା ମୋତେ କାମ କରିବାର ଅନେକ ସୁଯୋଗ ମିଳିଛି। ମୁଁ ଗଣତନ୍ତ୍ର ବିରୋଧରେ କହୁ ନାହିଁ, ମୁଁ ସେହି ପବିତ୍ର ସ୍ୱାଧୀନ ଅନୁଷ୍ଠାନଗୁଡ଼ିକ ବିଷୟରେ କହୁଛି, ଯାହା ଉପରେ ସରକାର କବ୍‌ଜା କରି ନିଶ୍ଚିତ ଭାବରେ ସେମାନଙ୍କ ଭୂମିକା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି’।

୬ ଦିନିଆ ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କି, ‘ମୋଦି ମାନହାନି ମାମଲାରେ ସର୍ବାଧିକ ଦଣ୍ଡ ମିଳିବା ପରେ ପ୍ରଥମେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି, କିନ୍ତୁ ଏହା ହେଉଛି ରାଜନୀତି। ସାଂସଦ ଭାବରେ ଅଯୋଗ୍ୟ ଘୋଷିତ ହେବା ପରେ ଗୋଟିଏ ଫାଇଦା ମୋତେ ହୋଇଛି। ଏବେ ମୁଁ ଲୋକଙ୍କ ସହିତ ମିଶି ଅଧିକ କାମ କରୁଛି’।