ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ । ପ୍ରଥମ ଥର ପାଇଁ ସଂସଦରେ ହାତ ମିଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କୁ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧି ଉଭୟଙ୍କୁ କରମର୍ଦ୍ଦନ କରୁଥିବାର ଦେଖିବାକୁ ମିଳିଥିଲା ।
ଓମ୍ ବିର୍ଲା ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୋଦି ଏବଂ ରାହୁଲ ଏକାସାଙ୍ଗରେ ହାତ ମିଶାଇ ଅଭିବାଦନ ଗ୍ରହଣ କରିବା ପରେ ଓମ୍ ବିର୍ଲାଙ୍କୁ ନିଜ ସିଟକୁ ଛାଡିବାକୁ ଯାଇଥିଲେ ମୋଦି ଏବଂ ରାହୁଲ । ଆଗରେ ଓମ୍ ବିର୍ଲା, ପଛରେ ମୋଦି, ତା’ପଛରେ ରାହୁଲ ଗାନ୍ଧି ଯାଉଥିବାର ଦେଖିବାକୁ ମିଳିଥିଲା ।
ସଂସଦର ପରମ୍ପରା ଅନୁଯାୟୀ, ପ୍ରଧାନମନ୍ତ୍ରୀ, ବିପକ୍ଷ ନେତା ଲୋକସଭା ବାଚସ୍ପତିଙ୍କୁ ସାଂସଦ ସିଟରୁ ଅଧ୍ୟକ୍ଷ ସିଟ୍ ପର୍ଯ୍ୟନ୍ତ ନେଇ ଯିବେ । ଲୋକସଭା ବାଚସ୍ପତି ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଏବଂ ରାହୁଲ ଗାନ୍ଧି ଓମ୍ ବିର୍ଲାଙ୍କୁ ନିଜ ସିଟ୍ ପର୍ଯ୍ୟନ୍ତ ନେଇ ଛାଡିଥିଲେ । ଆଉ ଏହି ସମୟରେ ରାହୁଲ ଏବଂ ମୋଦି ହାତ ମିଳାଇଥିଲେ । ଏହି ମୁହୂର୍ତ୍ତ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା ।
ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ବାଚ୍ନିକ ଭୋଟରେ ନିର୍ବାଚିତ ହେଲେ ଓମ୍ ବିର୍ଲା । ନିର୍ବାଚିତ ଘୋଷଣା କଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ.ସୁରେଶଙ୍କୁ ହରାଇ ନିର୍ବାଚିତ ହେଲେ । ଓମ ବର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ରାହୁଲ ଗାନ୍ଧି ବିରୋଧୀ ମେଣ୍ଟ ଦଳର ନେତା ହେବାକୁ ଯାଉଛନ୍ତି । ମଙ୍ଗଳବାର ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକ ପରେ ଏନେଇ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଅବଗତ କରାଯାଇଥିଲା ।