‘ଦେଶର ହାଲଓ୍ଵା ବଣ୍ଟାଯାଉଛି…’, ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ହସିଲେ ଅର୍ଥମନ୍ତ୍ରୀ, ମୁଣ୍ଡରେ ଦେଲେ ହାତ

କେନ୍ଦ୍ରୀୟ ବଜେଟ୍ ୨୦୨୪କୁ ନେଇ ଆଜି ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିଜ ଅଭିଭାଷଣରେ ସେ ଚକ୍ରବ୍ୟୁହର ଉଦାହରଣ ଦେଇଥିଲେ । ରାହୁଲ ଗାନ୍ଧୀ କହିଥିଲେ ଯେ ଯାହା ଅଭିମନ୍ୟୁଙ୍କ ସହିତ କରାଯାଇଥିଲା, ତାହା ଭାରତର ଲୋକଙ୍କ ସହିତ କରାଯାଉଛି ।

ରାହୁଲ ଗାନ୍ଧୀ କହିଥିଲେ, ସେ ଯୁବପିଢ଼ି ହୁଅନ୍ତୁ କିମ୍ବା ଚାଷୀ, କେନ୍ଦ୍ର ସରକାର ସମସ୍ତଙ୍କୁ ଚକ୍ରବ୍ୟୁହରେ ଫସାଇବା କାମ କରୁଛନ୍ତି । ଏଥି ସହିତ ରାହୁଲ ଜାତି ଜନଗଣନାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସେ ଏହାର ଏକ ଉଦାହରଣ ଦେଇଥିଲେ, ଯେଉଁଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ମୁଣ୍ଡରେ ହାତ ଦେଇ ଦେଇଥିଲେ ।

ରାହୁଲ ଗାନ୍ଧୀ ବଜେଟ୍‌ର ହାଲୱା ସେରିମନି ଉପରେ ଏପରି କିଛି କହିଥିଲେ, ଯାହା ଶୁଣି ଅର୍ଥମନ୍ତ୍ରୀ ସୀତାରମଣ ହସିବାକୁ ଲାଗିଥିଲେ ଏବଂ ହସି ହସି ନିଜ ମୁଣ୍ଡରେ ଦୁଇ ହାତ ରଖିଥିଲେ ।

ବିରୋଧୀ ଦଳର ନେତା ଲୋକସଭାରେ ହାଲୱା ସେରିମନିର ଏକ ଫଟୋ ଦେଖାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବାଚସ୍ପତି ଓମ୍‌ ବିର୍ଲା ଏହା କରିବାକୁ ମନା କରି ଦେଇଥିଲେ । ଏହା ଉପରେ ରାହୁଲ କହିଥିଲେ କି, ‘ମୁଁ ଫଟୋ ଦେଖାଇ ବୁଝାଇବାକୁ ଚାହୁଁଛି ଯେ ବଜେଟ୍‌ର ହାଲଓ୍ଵା ବଣ୍ଟାଯାଉଛି ଏବଂ ଏହି ଫଟୋରେ ଜଣେ ଓବିସି ଅଧିକାରୀ ଦେଖାଯାଉ ନାହାନ୍ତି । ଏପରି କି, ଜଣେ ଆଦିବାସୀ ଅଧିକାରୀ ମଧ୍ୟ ଦେଖାଯାଉ ନାହାନ୍ତି । ଏହା କ ‘ଣ ହଉଛି ? ଦେଶର ହାଲଓ୍ଵା ବଣ୍ଟାଯାଉଛି ଏବଂ ଏଥିରେ କେବଳ ସେହି ଲୋକମାନେ ନାହାନ୍ତି’ ।

ରାହୁଲ ଗାନ୍ଧୀ ଏହା କହିବା ମାତ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହସି ହସି ମୁଣ୍ଡରେ ଦୁଇ ହାତକୁ ରଖି ଦେଇଥିଲେ । ଏହି ସମୟରେ ପ୍ରବଳ ହୋହଲ୍ଲା ମଧ୍ୟ ହୋଇଥିଲା । ହଙ୍ଗାମା ମଧ୍ୟରେ ଲୋକସଭାରେ ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣ ଜାରି ରଖିଥିଲେ ।

You might also like