କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପ୍ରସଙ୍ଗରେ ରାହୁଲ ଅଟଳ, ନିଷ୍ପତି ପରିବର୍ତ୍ତନ କରିବାକୁ ଯୁବ କଂଗ୍ରେସ କର୍ମୀଙ୍କ ଧାରଣା
ନୂଆଦିଲ୍ଲୀ(କେନ୍ୟୁଜ୍): କଂଗ୍ରେସ ସଭାପତି ପଦରୁ ଓହରିଯିବା ପ୍ରସଂଗରେ ରାହୁଲ ଗାନ୍ଧୀ ଏବେ ବି ଜିଦିରେ ଅଟଳ । ଦଳର ନେତୃତ୍ୱ ନେବାକୁ ସେ ଅମଙ୍ଗ ଥିବା ବେଳେ ତାଙ୍କୁ କଂଗ୍ରେସର ବରିଷ୍ଠ ନେତାମାନେ ବୁଝାସୁଝା କରିବାକୁ ଉଦ୍ଯମ କରିଛନ୍ତି । କଂଗ୍ରେସ ସାଂସଦଙ୍କ ବୈଠକରେ ଦଳର ବରିଷ୍ଠ ନେତା ତାଙ୍କୁ କଂଗ୍ରେସ ସଭାପତି ପଦରେ ରହିବାକୁ ନିବେଦନ କରିଥିଲେ । କିନ୍ତୁ ରାହୁଲ ତାଙ୍କ ଜିଦିରେ ଅଟଳ ଦେଖିବାକୁ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦଳ ସାମୁହିକ ଭାବେ ଦାୟୀ ବୋଲି ସାଂସଦ ଶଶି ଥରୁର, ମନିଶ ତିୱାରୀ ପ୍ରମୁଖ ନେତା କହିଥିଲେ । ଦଳ ନୁହେଁ, ସାରା ଦେଶ ତାଙ୍କ ନେତୃତ୍ୱକୁ ଚାହୁଁଥିବା ସେମାନେ ରାହୁଲଙ୍କୁ କହିଥିଲେ । ସେପଟେ ଯୁବ କଂଗ୍ରେସର କର୍ମୀମାନେ ମଧ୍ୟ ରାହୁଲଙ୍କୁ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ନିବେଦନ କରିଛନ୍ତି । ଯୁବ କଂଗ୍ରେସର କର୍ମୀମାନେ ରାହୁଲଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ହୋଇ ଧାରଣା ମଧ୍ୟ ଦେଇଥିଲେ ।