ରାହୁଲ ଗାନ୍ଧି ଆରମ୍ଭ କରିବେ ‘ଭାରତ ଡୋଜୋ ଯାତ୍ରା’, ମାର୍ଶାଲ ଆର୍ଟ ସହ ରହିଛି ଖାସ୍‌ ଲିଙ୍କ୍‌

କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏକ ନୂଆ ଯାତ୍ରା ଘୋଷଣା କରିଛନ୍ତି । ଏହି ଯାତ୍ରାକୁ ‘ଭାରତ ଡୋଜୋ ଯାତ୍ରା’ ନାମ ଦିଆଯାଇଛି । ସାଧାରଣତଃ ଡୋଜୋ (DOJO) ଶବ୍ଦ ମାର୍ଶଲ ଆର୍ଟରେ ବ୍ୟବହୃତ ହୁଏ । ଏହା ପୂର୍ବରୁ ରାହୁଲ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡୋ ଯାତ୍ରା’ ଏବଂ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କରିଥିଲେ ।

ରାହୁଲ ଗାନ୍ଧି ନିଜ ୟୁଟ୍ୟୁବ ଚ୍ୟାନେଲ ଏବଂ ‘X’ ଆକାଉଣ୍ଟରେ ଏକ ଭିଡିଓ ସୟୋର କରିଛନ୍ତି । ଏହି ଭିଡିଓ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟର । ଏଥିରେ ସେ କେତେକ ପିଲାଙ୍କ ସହ ମାର୍ଶଲ ଆର୍ଟ କରୁଥିବାର ନଜର ଆସିଛନ୍ତି । ଭିଡିଓ ସହିତ ସେ ଲେଖିଛନ୍ତି ଯେ ଏହି ଯୁବକମାନଙ୍କୁ ଧ୍ୟାନ, ଜିୟୁ-ଜିତସୁ, ଏକିଡୋ ଏବଂ ଅହିଂସା ସଂଗ୍ରାମ କୌଶଳର ସମନ୍ୱିତ ମିଶ୍ରଣ ‘ଜେଣ୍ଟଲ୍‌ ଆର୍ଟ’ର ସୌନ୍ଦର୍ଯ୍ୟ ସହ ପରିଚିତ କରାଇବା ଆମର ଉଦ୍ଦେଶ୍ୟ ଥିଲା ।

ଭାରତ ଡୋଜୋ ଯାତ୍ରା ବିଷୟରେ ଉଲ୍ଲେଖ କରି ରାହୁଲ ଗାନ୍ଧି କହିଛନ୍ତି, ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆମେ ହଜାର କିଲୋମିଟର ଯାତ୍ରା କରିଥିଲୁ, ସେତେ ବେଳେ ଶିବିର ସ୍ଥଳରେ ପ୍ରତିଦିନ ସନ୍ଧ୍ୟାରେ ଜିୟୁ-ଜିତସୁ ଅଭ୍ୟାସ କରିବା ଆମର ଦୈନିକ ଦିନଚର୍ଯ୍ୟା ଥିଲା ।

ରାହୁଲ କହିଛନ୍ତି କି, ଏହି ଜିନିଷ ଫିଟ୍ ରହିବାର ଏକ ସରଳ ଉପାୟ ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା କମ୍ୟୁନିଟି ଆକ୍ଟିଭିଟିରେ ବଦଳି ଯାଇଛି । ମୁଁ ଜାତୀୟ କ୍ରୀଡା ଦିବସ ଅବସରରେ ଲୋକଙ୍କ ସହିତ ନିଜର ଅନୁଭୂତି ବାଣ୍ଟିବାକୁ ଚାହୁଁଛି । ମୁଁ ଆଶା କରୁଛି, ସେମାନଙ୍କ ମଧ୍ୟରୁ କିଛି ଲୋକ ଏହି ଜେଣ୍ଟଲ୍‌ କଳା ଅଭ୍ୟାସ କରିବା ପାଇଁ ଅନୁପ୍ରାଣିତ ହେବେ । ଏହା ପରେ ରାହୁଲ ଲେଖିଥିଲେ ଯେ ‘ଭାରତ ଡୋଜୋ ଯାତ୍ରା’ ଜଲ୍‌ଦି ଆସୁଛି ।

You might also like